କନକ ବ୍ୟୁରୋ: ଦିନେ ସେ ଭାରତକୁ ଜିତାଇଥିଲେ ଅଣ୍ଡର ୧୯ ବିଶ୍ୱକପ । ତାଙ୍କ ପ୍ରଦର୍ଶନ, ତାଙ୍କ ଦକ୍ଷତା ଦେଖି କୁହାଯାଉଥିଲା ସେ ଭାରତର ଭବିଷ୍ୟତ । ହେଲେ ଏତେ ପରେ ବି ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନଥିଲା । ଭାରତ ଛାଡ଼ି ସେ ଆମେରିକାରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଆଜି ସେ ଆମେରିକାରେ ଖେଳି ନିଜ ଦକ୍ଷତା ଦେଖାଉଛନ୍ତି । ସେ କ୍ରିକେଟର ଆଉ କେହି ନୁହନ୍ତି ସେ ହେଉଛନ୍ତି ଉନ୍ମୁକ୍ତ ଚାନ୍ଦ । ଆମେରିକାରେ ଅନୁଷ୍ଠିତ ମେଜର ଲିଗରେ ସେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଛନ୍ତି । 

Advertisment

ଏମଏଲସି ୨୦୨୫ରେ ସିଆଟେଲ୍ ଅର୍କାସ୍ ଏବଂ ଲସ୍ ଆଞ୍ଜେଲସ୍ ନାଇଟ୍ ରାଇଡର୍ସ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ, ସିଆଟେଲ୍ ଅର୍କାସ୍ ଲସ୍ ଆଞ୍ଜେଲସ୍ ନାଇଟ୍ ରାଇଡର୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା । ଲସ୍ ଆଞ୍ଜେଲସ୍ ନାଇଟ୍ ରାଇଡର୍ସ ୧୦ ବଲ୍ ବାକି ଥାଇ ଏବଂ ୪ ୱିକେଟ୍ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଲସ୍ ଆଞ୍ଜେଲସ୍ ପକ୍ଷରୁ ଉନ୍ମୁକ୍ତ ଚାନ୍ଦଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ୫୮ ବଲରୁ ୮୬ ରନ ହାସଲ କରିଥିଲେ ଯେଉଁଥିରେ ସେ ୧୦ ଚୌକା ଓ ୪ ଛକା ମାରିଥିଲେ । ନାଇଟ୍ ରାଇଡର୍ସ ପକ୍ଷରୁ ଉନ୍ମୁକ୍ତ ଚାନ୍ଦଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ମନୋନୀତ କରାଯାଇଥିଲା ।

ଉନ୍ମୁକ୍ତ ଚାନ୍ଦ ଏମଏଲସି ୨୦୨୫ରେ ସର୍ବାଧିକ ସ୍କୋରର ତାଲିକାର ୬ ନମ୍ୱର ସ୍ଥାନରେ ରହିଛନ୍ତି । ସେ ମୋଟ ୪ଟି ମ୍ୟାଚ ଖେଳି ୧୬୧ ରନ କରିଛନ୍ତି । ଯେଉଁଥିରେ ୧୬ ଚୌକା ଓ ୯ ଛକା ସାମିଲ ଅଛି । ତେବେ ଆଗକୁ ତାଙ୍କ ବ୍ୟାଟରୁ ବଡ ସ୍କୋର ଆସିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଏହି ସିଜିନରେ ତାଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । 

ଉନ୍ମୁକ୍ତ ଚାନ୍ଦ ୨୦୧୨ରେ ଭାରତକୁ ଅଣ୍ଡର ୧୯ ବିଶ୍ୱକପ ଜିତାଇଥିଲେ । ଗୋଟେ ସମୟ ଥିଲା ଯେତେବେଳେ ଉନ୍ମୁକ୍ତଙ୍କୁ ଦ୍ବିତୀୟ ବିରାଟ କୋହଲି ବୋଲି କୁହାଯାଉଥିଲା । କାରଣ ଖୁବ ବୟସରେ ସେ କ୍ରିକେଟରେ ନିଜ ଦକ୍ଷତା ଦେଖାଇଥିଲେ । ହେଲେ ଏହି ଦକ୍ଷତା ତାଙ୍କ ପାଇଁ କ୍ଷଣ ସ୍ଥାୟୀ ପାଲଟିଯାଇଥିଲା । 
ଉନ୍ମୁକ୍ତ ଦିଲ୍ଲୀର ଘରୋଇ ଦଳରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଭାରତର ପାଇଁ ଅଣ୍ଡର ୧୯ କ୍ରିକେଟ ଖେଳିଥିଲେ । ୨୦୧୨ରେ ଦଳର ଅଧିନାୟକ ରହିଥିବା ବେଳେ ଭାରତ ବିଶ୍ୱ ବିଜେତା ବନିଥିଲା । ସେ ପ୍ରଥମ ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ଅଣ୍ଡର ୧୯ ବିଶ୍ୱକପ ହାତେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଉନ୍ମୁକ୍ତ ୬ ମ୍ୟାଚ ଖେଳି ୨୪୬ ରନ କରିଥିଲେ । ଆଉ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ । 

ଏହି ବିଜୟରେ ଚର୍ଚ୍ଚାକୁ ଆସିଥିଲେ ଉନ୍ମୁକ୍ତ । ତାଙ୍କୁ ସେତେବେଳେ ଟିମ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ବୋଲି କୁହାଯାଉଥିଲା । ଏହାପରେ ତାଙ୍କୁ ଆଇପିଏଲ ଖେଳିବାକୁ ସୁଯୋଗ ମିଳିଥିଲା । ହେଲେ ସେଥିରେ ସେ ପୂରା ଫ୍ଲପ ହୋଇଥିଲେ । ଉନ୍ମୁକ୍ତ ପ୍ରଥମେ ଦିଲ୍ଲୀ, ପରେ ରାଜସ୍ଥାନ ଓ ମୁମ୍ବାଇ ପାଇଁ ଆଇପିଏଲ ଖେଳିଥିଲେ । ସେ ମୋଟ ୨୧ଟି ଆଇପିଏଲ ଖେଳି ମୋଟ ୩୦୦ ରନ କରିଥିଲେ । ତାଙ୍କର ଏଭଳି ପ୍ରଦର୍ଶନ ପାଇଁ ସେ ବ୍ୟାକଫୁଟକୁ ଚାଲିଯାଇଥିଲେ । ଆଉ ଅନ୍ତର୍ଜାତୀୟ ଟିମରେ ସ୍ଥାନ ପାଇନଥିଲେ । 

୨୦୨୦ରେ ତାଙ୍କୁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସେ ଭାରତୀୟ କ୍ରିକେଟରୁ ଅବସର ନେଇ ଆମେରିକାରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏବେ ସେ ବିଦେଶରେ ନିଜ ଦକ୍ଷତା ଦେଖାଉଛନ୍ତି ।