କନକ ବ୍ୟୁରୋ : କିଏ ତାଙ୍କୁ ଡିଭିଲିୟର୍ସ କହୁଛି ତ ଆଉ କିଏ ବିରାଟଙ୍କ ସହ କରୁଛି ତୁଳନା । କିଏ ଏହି କ୍ରିକେଟର ଯାହାଙ୍କୁ ନେଇ ଆଇପିଏଲରେ ଚର୍ଚ୍ଚା । ଅନିକେତ ବର୍ମା... ଯିଏ ଏବେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ପାଲଟିଛନ୍ତି ହିରୋ । ଯେଉଁଠି ଫେଲ୍ ହେଲେ ବଡ଼ ବଡ଼ ବିସ୍ଫୋଟକ ବ୍ୟାଟ୍ସମ୍ୟାନ, ସେଠି ବାଜି ମାରିଲେ ଅନିକେତ୍ । ଜଣେ ଅନକ୍ୟାପ୍ଡ ଖେଳାଳି ହୋଇ ବଡ ବଡ ଅନ୍ତର୍ଜାତୀୟ ବୋଲରଙ୍କ ନିଦ ହଜାଇଦେଇଥିଲେ । ୩ଟି ମ୍ୟାଚ ଖେଳି ବିସ୍ଫୋରକ ବ୍ୟାଟିଂ କରି ଏବେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଏହି ଖେଳାଳି । 

Advertisment

ଅନିକେତ ତାଙ୍କର ପ୍ରଥମ ମ୍ୟାଚ ରାଜସ୍ଥାନ ବିପକ୍ଷରେ ଖେଳିଥିଲେ । ଯେଉଁଠି ସେ ୩ଟି ବଲରେ ଗୋଟିଏ ଛକା ମାରିଥିଲେ । ପରେ ଦ୍ବିତୀୟ ମ୍ୟାଚ ଲକ୍ଷ୍ନୌ ବିପକ୍ଷରେ ଖେଳି ୧୩ ବଲରେ ୫ ଛକା ମାରି ବିସ୍ଫୋରକ ୩୬ ରନ କରିଥିଲେ । ହେଲେ ସେ ଚର୍ଚ୍ଚାକୁ ସେତେବେଳେ ଆସିଥିଲେ ଯେତେବେଳେ ସେ ଦିଲ୍ଲୀ ବିପକ୍ଷରେ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲା । ଯେଉଁଠି ଟ୍ରାଭିସ ହେଡ୍, ଅଭିଷେକ ଶର୍ମା, ଇଶାନ କିଷାନ, ନୀତିଶ ରେଡ୍ଡୀଙ୍କ ଭଲି ଖେଳାଳି ଫ୍ଲପ ହୋଇଗଲେ । ଦଳ ପୂରା ଖରାପ ପରିସ୍ଥିତିରେ ରହିଥିଲା । ଆଉ ଠିକ ସେତିକି ବେଳେ ଛିଡା ହୋଇଥିଲେ ଅନିକେତ । ୪୧ ବଲରେ ୫ ଚୌକା ୬ ଛକା ମାରି ୭୪ ରନ କରିଥିଲେ, ଆଉ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଏହି ମ୍ୟାଚ ସିନା ହାଇଦ୍ରାବାଦ ହାରିଯାଇଥିଲା ହେଲେ ହୃଦୟ ଜିତି ନେଇଥିଲେ ଅନିକେତ । 

ତେବେ କିଏ ଏହି ଯୁବ ଖେଳାଳି ଯିଏ ହାଇଦ୍ରାବାଦ ପାଇଁ ହିରୋ ପାଲଟିଛନ୍ତି । ଅନିକେତଙ୍କ ଜନ୍ମ ୫ ଫେବୃଆରୀ ୨୦୦୨ରେ ଉତ୍ତର ପ୍ରଦେଶର ଝାନ୍ସିରେ ହୋଇଥିଲା । ସେ ୩ ବର୍ଷର ହୋଇଥିବା ବେଳେ ତାଙ୍କ ମା’ ଆରପାରିକୁ ଚାଲିଯାଇଥିଲେ । ଆଉ ତାଙ୍କ ମାଙ୍କ ମୃତ୍ୟୁ ପରେ ବାପା ଦ୍ବିତୀୟ ବିବାହ କରିଥିଲେ । ଏହାପରେ ଅନିକେତଙ୍କ ଦାଦା ତାଙ୍କୁ ନେଇ ମଧ୍ୟ ପ୍ରଦେଶ ଚାଲିଯାଇଥିଲେ । ଆଉ ସେଠାରେ ଅନିକେତଙ୍କ ସ୍ୱପ୍ନ ପୂରା କରିବାରେ ଲାଗିପଡ଼ିଥିଲେ ତାଙ୍କ ଦାଦା । ଯେଉଁଥିପାଇଁ ଆଜି ଆଇପିଏଲରେ ସେ ସ୍ଥାନ ପାଇ ପାରିଛନ୍ତି । 

ଅନିକେତ ବର୍ମା ମଧ୍ୟ ପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଛନ୍ତି । ସେ ମିଡିଲ ଅର୍ଡରର ଜଣେ ବିସ୍ଫୋରକ ବ୍ୟାଟର । ସେ ଅଣ୍ଡର ୨୩ ଟୁର୍ଣ୍ଣାମେଣ୍ଟରେ ଚର୍ଚ୍ଚାକୁ ଆସିଥିଲେ । କର୍ଣ୍ଣାଟକ ବିପକ୍ଷରେ ସେ ୭୫ ବଲରେ ଦମଦାର ୧୦୧ ରନ କରି ପୂରା ଛାଇ ଯାଇଥିଲେ । ୭ ମ୍ୟାଚରେ ସେ ୪୬ ଆଭରେଜ ଓ ୧୫୨ ଷ୍ଟ୍ରାଇକ ରେଟରେ ୧୮୪ ରନ କରିଥିଲେ । ଏହାପରେ ମଧ୍ୟପ୍ରଦେଶ ପ୍ରିମିୟର ଲିଗରେ ତାଙ୍କ ବ୍ୟାଟ ପ୍ରବଳ ଗର୍ଜିଥିଲା । ସେ ଟୁର୍ଣ୍ଣାମେଣ୍ଟରେ ୫ ମ୍ୟାଚ ଖେଳି ୨୦୫ ଷ୍ଟ୍ରାଇକ ରେଟରେ  ୨୪୪ ରନ କରିଥିଲେ । ଗୋଟିଏ ମ୍ୟାଚରେ ସେ ୪୧ ବଲରେ ୩୦୦ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ୧୨୩ ରନ କରି ଦେଇଥିଲେ । 

ଅନିକେତଙ୍କ ଏହି ଦମଦାର ପାଳି ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା । ଆଉ ଆଇପିଏଲ ୨୦୨୫ ମେଗା ଅକ୍ସନରେ ହାଇଦ୍ରାବାଦ ତାଙ୍କୁ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ଆଉ ସୁଯୋଗ ମିଳିବା ପରେ ଏବେ କମାଲ ଦେଖାଉଛନ୍ତି ଅନିକେତ । ସେ ଆଇପିଏଲର ତୃତୀୟ ମ୍ୟାଚରେ ହିଁ ନିଜର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେହିପରି ୩ ମ୍ୟାଚରେ ୧୨ ଛକା ମାରି ବର୍ତ୍ତମାନ ଯାଏଁ ସେ ଆଇପିଏଲର ଦ୍ୱିତୀୟ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି ।