କନକ ବ୍ୟୁରୋ : ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଛି ରାଜଧାନୀର ସର୍ବପୁରାତନ ନାଳ ଗଙ୍ଗୁଆ । ନା ସଫା ହେଉଛି ନା ପୁନରୁଦ୍ଧାର । ପାଣି ନିଷ୍କାସନ ହୋଇ ନ ପାରିବାରୁ ରାଜଧାନୀରେ ଡ୍ରେନେଜ୍ ସମସ୍ୟାର ପ୍ରମୁଖ କାରଣ ସାଜିଛି ଗଙ୍ଗୁଆ । ଶୁଣିଲେ ଆଶ୍ଚର୍ୟ୍ୟ ଲାଗିବ, ଦିନେ ଏଠି ବହି ଯାଉଥିଲା ଓଡ଼ିଶାର ଅନ୍ୟତମ ପ୍ରାଚୀନ ନଦୀ ଗଙ୍ଗୁଆ । ଅବହେଳା ଯୋଗୁ ଧୀରେଧୀରେ ଅସ୍ତିତ୍ୱ ହରାଇଛି । ପ୍ରଥମ କେନାଲ, ଆଉ ଏବେ ଅଦୃଶ୍ୟ ପ୍ରାୟ । ଜବର ଦଖଲ ଯୋଗୁ କେଉଁଠି ପୋତି ହୋଇଗଲାଣି ତ କେଉଁଠି ଡଷ୍ଟବିନ ସାଜିଛି । ଭୁନେଶ୍ୱରରର ସର୍ବପୁରାତନ କେନାଲ ଏବେ ସମ୍ପୂର୍ଣ୍ଣ ଅବହେଳିତ । ଏଥିପାଇଁ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ବାରମ୍ବାର ଅଭିଯୋଗ ଓ ଉଚ୍ଚ ସ୍ତରରେ ସମୀକ୍ଷା ପରେ ବି ଫଳ ଶୂନ ।   

Advertisment

ବିପଦପୂର୍ଣ୍ଣ  ଅବସ୍ଥାରେ ପିଲାମାନେ ନାଳ ଉପରେ ଯାଇଥିବା ପାଇପ ଲାଇନ ଉପରେ ଖେଳୁଛନ୍ତି । କିଛି ଅଘଟଣ ଘଟିଲେ କିଏ ଦାୟୀ ହେବ? କେନାଲରେ ଆବର୍ଜନା ପଡ଼ିବାରୁ ଦୁର୍ଗନ୍ଧରେ ଫାଟିପଡୁଛି ପାଖ ଅଞ୍ଚଳ । ଏନେଇ ସରକାରଙ୍କୁ କଡ଼ା ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ କର୍ପୋରେଟର । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଡିପିଆର ପ୍ରସ୍ତୁତ ହୋଇଛି । ଶୀଘ୍ର ଗଙ୍ଗୁଆର ପୁନରୁଦ୍ଧାର କରାଯିବ ।କେବଳ ଗଙ୍ଗୁଆ ନୁହେଁ, ଭୁନେଶ୍ୱରରେ ଅନ୍ୟ କେନାଲ ଓ  ଡ୍ରେନର ମଧ୍ୟ ସମାନ ଅବସ୍ଥା । ବେଳ ଥାଉଁଥାଉଁ ସମସ୍ୟାର ସମାଧାନ ନହେଲେ ବଡ଼ ଅସୁବିଧାର ସମ୍ମୁଖୀନ ହେବେ ସ୍ମାର୍ଟସିଟି ବାସିନ୍ଦା ।