କନକ ବ୍ୟୁରୋ: ଜ୍ୟୋଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀଜିଉମାନଙ୍କର ସ୍ନାନଯାତ୍ରା ଓ ହାତୀବେଶ ବା ଗଜାନନ ବେଶ । ଏହି ବେଶ ପ୍ରସ୍ତୁତ କରୁଛନ୍ତି ପୁରୀର ରାଘବ ଦାସ ମଠ ଓ ଗୋପାଳତୀର୍ଥ ମଠ । ବହୁ ପୁରାତନ କାଳରୁ ଏହି ପରମ୍ପରା ବଜାୟ ରହିଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ହାତୀବେଶ ପ୍ରସ୍ତୁତି ।

Advertisment

ଆସନ୍ତା ୧୧ ତାରିଖରେ ଚତୁର୍ଦ୍ଧା ମୂରତିଙ୍କ ସ୍ନାନଯାତ୍ରା । ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁଙ୍କୁ ହାତୀବେଶରେ ସଜ୍ଜିତ କରାଯିବ । ଭକ୍ତ ଗଣପତି ଭଟ୍ଟଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୂ ଏହି ବେଶ ଧାରଣ କରିଥିଲେ । ଏହି ଦୁର୍ଲ୍ଲଭ ବେଶ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୁରୀର ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠ  ପକ୍ଷରୁ ଅକ୍ଷୟ ତୃତୀୟାରୁ ହାତୀବେଶ ପ୍ରସ୍ତୁତି ଆରମ୍ଭ ହୋଇ ସ୍ନାନ ପୂର୍ଣ୍ଣିମାରେ ଶେଷ ହୋଇଥାଏ ।

ହାତୀବେଶରେ ମୁଖ୍ୟତଃ କଦଳୀ ପାଟୁଆ, କଇଁଥ ଅଠା, ସୋଲ, ଜରି, କପଡ଼ା, ଲେସ୍ ଆଦି ବ୍ୟବହାର କରାଯାଏ । ରାଘବ ଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ଯୋଗାଇ ଦିଆଯାଇଥାଏ । ଗୋପାଳତୀର୍ଥ ମଠ ଦିଏ ଶ୍ରୀବଳଭଦ୍ରଙ୍କ ବେଶ । ପାରମ୍ପରିକ ଭାବେ ପିଢ଼ିପିଢ଼ି ଧରି କାରିଗରମାନେ ହାତୀବେଶ ପ୍ରସ୍ତୁତ କରିଆସୁଛନ୍ତି । କାରିଗରଙ୍କୁ ମଠ ପକ୍ଷରୁ ପାରିଶ୍ରମିକ ଦିଆଯାଏ । ହାତୀବେଶ ପ୍ରସ୍ତୁତ କରି ସମସ୍ତେ ଖୁସି ଅଛନ୍ତି । ମହାପ୍ରଭୁଙ୍କ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ବେଶ୍ ଆବେଗ ରହିଛି । ଏହି ଦୁର୍ଲ୍ଲଭ ବେଶ  ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।