କନକ ବ୍ୟୁରୋ : ହରିଆଣା ବିଧାନସଭା ନିର୍ବାଚନକୁ ଆଉମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହି କ୍ରମରେ ନିର୍ବାଚନରେ ମୁଖ୍ୟ ଦୁଇ ପ୍ରତିଦ୍ୱନ୍ଦୀ କଂଗ୍ରେସ ଓ ବିଜେପି ସେମାନଙ୍କର ନିର୍ବାଚନୀ ଇସ୍ତାହାର ଜାରି କରିସାରିଛନ୍ତି । କେବଳ ସେତିକି ନୁହେଁ ଉଭୟ ଦଳ ତରଫରୁ ଷ୍ଟାର ପ୍ରଚାରକମାନେ ଜୋରଦାର ପ୍ରଚାର କରିବାରେ ଲାଗିଚନ୍ତି । ଲୋକସଭା ନିର୍ବାଚନର ଫଳାଫଳକୁ ନେଇ କଂଗ୍ରେସ ଉତ୍ସାହିତ ଥିବା ବେଳେ ୧୦ ବର୍ଷ ପରେ ହରିଆଣାରେ କ୍ଷମତାକୁ ଆସିବାକୁ ପୁରା ଦମ୍ ଲଗାଇଦେଇଛି । କୃଷକ, ଯୋଦ୍ଧା, ଅଗ୍ନିବୀର ଭଳି ପ୍ରସଙ୍ଗ ଉଠାରେ ବିଜେପି ସରକାରକୁ ଘେରିବାରେ ଲାଗିଛି । 
ହରିଆଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ବ୍ୟତୀତ ଇଣ୍ଡିଆନ ନ୍ୟାସନାଲ ଲୋକଦଳ, ବହୁଜନ ସମାଜବାଦୀ ପାର୍ଟି, ଜନନାୟକ ଜନତା ପାର୍ଟି , ଆଜାଦ ସମାଜ ପାର୍ଟି, ଆମ୍ ଆଦମୀ ପାର୍ଟି ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । 

Advertisment

ଯଦି ୨୦୦୯ ନିର୍ବାଚନରେ ମୋଟ ୧,୨୨ ପ୍ରାର୍ଥୀ ମଇଦାନରେ ଥିଲେ । ୨୦୧୪ ରେ ଏହା ୧୩୫୧ ଓ ୨୦୧୯ ରେ ୧୧୬୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଅର୍ଥାତ ପ୍ରତି ଆସନ ପାଇଁ ୧୩ ଜଣ ପ୍ରାର୍ଥୀ ଥିଲେ । ୨୦୨୪ ରେ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ୧୦୫୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଅର୍ଥାତ ପ୍ରତି ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି । 

୨୦୦୯ ନିର୍ବାଚନରେ ଛୋଟ ଛୋଟ ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ପାଖାପାଖି ୩୦ ପ୍ରତିଶତ ଭୋଟ ସହ ୧୫ ଟି ଆସନରେ ବିଜୟୀ ହୋଇଥିଲେ । ୨୦୧୯ ରେ ଏହି ସଂଖ୍ୟା ହ୍ରାସ ପାଇଥିଲା । ନିର୍ଦ୍ଦଳୀୟ ଓ ଛୋଟ ଛୋଟ ଦଳମାନଙ୍କର ପ୍ରାର୍ଥୀଙ୍କୁ ୧୮ ପ୍ରତିଶତ ଭୋଟ ସହ ୮ଟି ଆସନ ମିଳିଥିଲା । ହେଲେ ଏହାର ପ୍ରଭାବ ରାଜ୍ୟର ପାଖାପାଖି ୫୦ ପ୍ରତିଶତ ଆସନ ଉପରେ ପଡିଥିଲା । 

ସେପଟେ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ମଉଳିବା ପରେ ଏଥର ହରିଆଣା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଗୁରୁତ୍ୱର ସହ ନିର୍ବାଚନ ଲଢୁଛି । ଦଳ ପୁରା ୯୦ ଟି ଆସନରେ ପ୍ରାର୍ଥୀ ଦେଇଛି । ଦିଲ୍ଲୀ ମଡେଲର ପ୍ରଚାର ଚଳାଇଥିବା ଆମ୍ ଆଦମୀ ପାର୍ଟି କିଛି ଆସନରେ ବିଜୟୀ ହେବ ବୋଲି ଆଶା ରଖିଛି । ସେପଟେ କଂଗ୍ରେସ ଓ ବିଜେପି ଛାଡି ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଉଭୟ ଦଳର ସମିକରଣ ବିଗାଡି ପାରନ୍ତି । ଅନୁମାନ କରାଯାଉଛି କି, ୨୦ ଟି ଆସନରେ ଏମାନେ ସମିକରଣ ବଦଳାଇପାରନ୍ତି । ତେଣୁ ଉଭୟ କଂଗ୍ରେସ ଓ ବିଜେପି ପାଇଁ ଛୋଟ ଛୋଟ ଦଳ, ନିର୍ଦ୍ଦଳୀୟ ପ୍ରାର୍ଥୀ, ଦଳରୁ ଅସନ୍ତୁଷ୍ଟ ହୋଇ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ସବୁ ପରେ ଆମ୍ ଆଦମୀ ପାର୍ଟି କଣ୍ଟା ସାଜିପାରନ୍ତି ।