କନକ ବ୍ୟୁରୋ : ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନ ହୋଇପାରେ । କିଛି ରାଜନୈତିକ ଦଳଙ୍କ ଅନୁରୋଧ ଉପରେ ମଙ୍ଗଳବାର ଦିନ ନିର୍ବାଚନ କମିଶନ ଏହା ଉପରେ ବିଚାର କରିପାରନ୍ତି । ରାଜ୍ୟରେ ୯୦ ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଥିଲେ । ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଅକ୍ଟୋବର ପହିଲାରେ ଭୋଟ, ଓ ୪ ତାରିଖରେ ଗଣତି ହେବ । 

Advertisment

ବିଜେପି ତରଫରୁ ହରିଆଣା ବିଧାନସଭା ନିର୍ବାଚନ ତାରିଖ ବଦଳାଇବାକୁ ନିର୍ବାଚନ କମିଶନଙ୍କ ପାଖରେ ଅନୁରୋଧ କରାଯାଇଥିଲା । ଅକ୍ଟୋବର ପହିଲା ପରିବର୍ତ୍ତେ ଅକ୍ଟୋବର ୭ କିମ୍ବା ୮ ତାରିଖରେ ମତଦାନ କରାଇବାକୁ ବିଜେପି ତରଫରୁ ଅନୁରୋଧ କରାଯାଇଛି । ଏନେଇ ମଙ୍ଗଳବାର ଦିନ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ । 

ହରିଆଣା ବିଜେପି ଅଧ୍ୟକ୍ଷ ମୋହନଲାଲ ବଡୋଲି ନିର୍ବାଚନ କମିଶନଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି କି ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୨ ତାରିଖ ସରକାରୀ ଛୁଟି ରହିଛି । ଏହି କାରଣରୁ ମତଦାନ ହାର ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଆଧାରରେ ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ସେ ନିର୍ବାଚନ କମିଶନଙ୍କ ନିକଟକୁ ଏକ ଅନୁରୋଧ ପତ୍ର ପଠାଇଛନ୍ତି ।