କନକ ବ୍ୟୁରୋ : ଛୁଟିରେ ଗଲେ ହରିୟାଣା ପୁଲିସ ଡିଜି ଶତ୍ରୁଜିତ୍‌ ସିଂ କପୁର । ହରିୟାଣାର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଏଡିଜିପି ୱାଇ. ପୂରନ୍‌ କୁମାର ଆତ୍ମହତ୍ୟା ଘଟଣା ନେଇ ବିବାଦ ବଢ଼ିଥିଲା । ଏହାପରେ ରାଜ୍ୟ ସରକାର ପୁଲିସ ମହାନିର୍ଦ୍ଦେଶକ ଶତ୍ରୁଜିତ୍‌ ସିଂ କପୁରଙ୍କୁ ଛୁଟିରେ ପଠାଇ ଦେଇଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ସହାୟକ ରାଜୀବ ଜୈତଳୀ ଏହି ସୂଚନା ଦେଇଛନ୍ତି । ଶତ୍ରୁଜିତ୍‌ଙ୍କ ସ୍ଥାନରେ ଓମ୍‌ ପ୍ରକାଶଙ୍କୁ ଦାୟିତ୍ବ ଦିଆଯାଇଛି । 

Advertisment

ମୃତ ଆଇପିଏସ୍‌ ଅଧିକାରୀ ୱାଇ. ପୁରନ୍‌ କୁମାର ୨୦୦୧ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଥିଲେ। । ସେ ରୋହତକ ପଲିସ୍ ଟ୍ରେନିଂ ସେଣ୍ଟରରେ ଆଇଜି ଭାବେ କାର୍ଯ୍ୟରତ ଥିଲେ । ଗତ ଅକ୍ଟୋବର ୭ ତାରିଖରେ ସେ ଚଣ୍ଡିଗଡ଼ସ୍ଥିତ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ । କାର୍ଯ୍ୟସ୍ଥଳୀରେ ଖରାପ୍‌ ବ୍ୟବହାର ଓ ବରିଷ୍ଠ ଅଧିକାରୀଙ୍କ  ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ କରିଛନ୍ତି । ୱାଇ. ପୂରନ୍‌ଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଡିଜିପିଙ୍କ ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ଏହାପରେ ଡିଜିପିଙ୍କୁ ଛୁଟିରେ ପଠାଇ ଦିଆଯାଇଛି । ଡିଜିପିଙ୍କୁ ହଟାଇବା ପାଇଁ ମହାପଞ୍ଚାୟତ ମଧ୍ୟ ଦାବି କରିଥିଲେ ।

ସେପଟେ ଆଜି ମୃତ ଆଇପିଏସ୍‌ଙ୍କ ପରିବାରକୁ ଭେଟିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ । ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ରାହୁଲ । ସେହିପରି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ୍‌ ମଧ୍ୟ ପରିବାରକୁ ଭେଟିଥିବା ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୱାଇ. ପୂରନ କୁମାରଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ଡିଜିପିଙ୍କୁ ଗିରଫ କରିବା ପାଇଁ ଦାବି ଉଠିଛି ।