କନକ ବ୍ୟୁରୋ : ଦେଶରେ ହରିଆଣା ଓ ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଜମ୍ମୁକାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କିନ୍ତୁ ହରିଆଣା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ଏହାରି ଭିତରେ କିଛି ବିଶେଷଜ୍ଞ ହରିଆଣା ନିର୍ବାଚନ ଫଳାଫଳକୁ ନେଇ କିଛି ଆକଳନ କରିଛନ୍ତି । 

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବରିଷ୍ଠ ସାମ୍ବାଦିକ ବିଜୟ ବିଦ୍ରୋହୀ କହିଛନ୍ତି କି, ରାଜ୍ୟରେ କଂଗ୍ରେସର ବିଜୟ ସୁନିଶ୍ଚିତ । ମୋଟ ୯୦ ଆସନରୁ ଏକାକୀ କଂଗ୍ରେସ ୫୫ ଆସନ ଜିତିପାରେ ବୋଲି ସେ ଆକଳନ କରିଛନ୍ତି । 

ଟାଇମ୍ସ ନାଓଁ -ମାଟ୍ରିଜ ପୋଲର ଆକଳନ ମୁତାବକ ଚଳିତ ନିର୍ବାଚନରେ କଂଗ୍ରେସକୁ ୩୨ ପ୍ରତିଶତ ଭୋଟ ସହ ୩୬-୪୧ ଆସନ ମିଳିପାରେ । ସେହିଭଳି ବିଜେପିକୁ ୩୫ ପ୍ରତିଶତ ଭୋଟ ସହ ୩୩-୩୮ ଆସନ ମିଳିପାରେ । ଅନ୍ୟାନ୍ୟ ଦଳମାନଙ୍କୁ ୧୧ ଆସନ ମିଳିପାରେ ବୋଲି ଏହି ସର୍ଭେ ସଂସ୍ଥା ଆକଳନ କରିଛି । 

ଆଉ ଏକ ସର୍ଭେ ସଂସ୍ଥା ଲୋକ ପୋଲ ସର୍ଭେ ରିପୋର୍ଟ ମୁତାବକ କଂଗ୍ରେସକୁ ୫୮-୬୫, ବିଜେପିକୁ ୨୦-୨୯ ଓ ଅନ୍ୟାନ୍ୟ ଦଳମାନଙ୍କୁ ୩-୫ ଆସନ ମିଳିପାରେ । ସୂଚନା ଥାଉକି ୨୦୧୯ ନିର୍ବାଚନରେ ହରିଆଣାର ମୋଟ ୯୦ ବିଧାନସଭା ଆସନରୁ ବିଜେପି ୪୦, କଂଗ୍ରେସ ୩୧, ଜେଜେପି ୧୦ ଓ ଅନ୍ୟାନ୍ୟ ଦଳମାନଙ୍କୁ ୯ ଟି ଆସନ ମିଳିଥିଲା ।