କନକ ବ୍ୟୁରୋ ; ଗତ କିଛି ନିର୍ବାଚନରେ ବିଜେପି ତାର ରଣନୀତି ପରିବର୍ତ୍ତନ କରି ନିର୍ବାଚନ ଲଢୁଛି । କେବଳ ଲୋକସଭା ନିର୍ବାଚନ ବେଳେ ବିଜେପି ନରେନ୍ଦ୍ର ମୋଦୀଙ୍କ ଚେହେରାରେ ନିର୍ବାଚନ ଲଢିଥିବା ବେଳେ ବିଧାନସଭା ନିର୍ବାଚନରେ କୌଣସି ଦଳୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ନିର୍ବାଚନ ଲଢୁନାହିଁ ବିଜେପି । ହେଲେ ପ୍ରଥମଥର ପାଇଁ ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ହରିଆଣା ବିଜେପିର ବରିଷ୍ଠ ନେତା ତଥା ପୂର୍ବ ମନ୍ତ୍ରୀ ଅନୀଲ ବିଜ୍ ଦଳୀୟ ହ୍ୱିପକୁ ବେଖାତର କରି ନିଜକୁ ମୁଖ୍ୟମନ୍ତ୍ରୀ ଦାବିଦାର ବୋଲି କହିଛନ୍ତି । ସେ କହିଛନ୍ତି କି, ମୁଁ ହରିଆଣା ବିଜେପିର ବରିଷ୍ଠ ବିଧାୟକ, ୬ ଥର ନିର୍ବାଚନ ଜିତିଛି । ମୁଁ ଦଳକୁ କେବେ କିଛି ମାଗିନାହିଁ । ହେଲେ ବରିଷ୍ଠତା ଆଧାରରେ ଏଥର ମୁଖ୍ୟମନ୍ତ୍ରୀ ପଦ ମାଗୁଛି । 

ନିର୍ବାଚନ ପୂର୍ବରୁ ହରିଆଣା ବିଜେପିର ଏହା ପ୍ରଥମ ବିଦ୍ରୋହ ନୁହେଁ । ଟିକେଟ ବଣ୍ଟା ସରିବା ପରେ ଜଣଙ୍କ ପରେ ଜଣେ ପୂର୍ବ ବିଧାୟକ ଓ ପୂର୍ବମନ୍ତ୍ରୀ ଦଳ ଛାଡିଛନ୍ତି । କିଏ ନିର୍ଦ୍ଦଳୀୟ ନିର୍ବାଚନ ଲଢୁଛି ତ କିଏ ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ସେପଟେ ଗତ ନିର୍ବାଚନ ଫଳାଫଳ ପରେ ଜେଜେପି ବଳରେ ବିଜେପି ସରକାର ଗଠନ କରିଥିଲା । ଏଥର କିନ୍ତୁ ଜେଜେପି ମୁଖ୍ୟ ବିଜେପି ଠାରୁ ଅସନ୍ତୁଷ୍ଟ ହୋଇ ଏକାକୀ ନିର୍ବାଚନ ଲଢୁଛନ୍ତି । ଏଭଳି ସ୍ଥିତିରେ ନିର୍ବାଚନ ଫଳାଫଳ କ’ଣ ହେବ ତାହା ଅସ୍ପଷ୍ଟ ରହିଥିବା ବେଳେ ବିଜେପି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦାବିଦାର ବଢିବାରେ ଲାଗିଛି ।