କନକ ବ୍ୟୁରୋ : ପାଖେଇ ଆସିଲାଣି ଗଣେଶ ପୂଜା, ଚଳଚଞ୍ଚଳ କଟକ ସହର । କ୍ଲବ୍ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ମଣ୍ଡପରେ ଗଢ଼ା ଚାଲିଛି ମୂର୍ତ୍ତି । ପାର୍ବଣ ପରିବେଶ ଭିତରେ କଟକରେ ରାସ୍ତାଘାଟ ଅବସ୍ଥା ଶୋଚନୀୟ । ଯାହାକୁ ନେଇ କଂଗ୍ରେସ ପକ୍ଷରୁ କଟକ ମହାନଗର ନିଗମ କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଗଣେଶ ପୂଜାରୁ କଟକରେ ଆରମ୍ଭ ହୋଇଯାଏ ପାର୍ବଣ ଋତୁ , ଚଳଚଞ୍ଚଳ ହୋଇପଡ଼େ ରାସ୍ତାଘାଟ । ବିଭିନ୍ନ ପୂଜା ମଣ୍ଡପରେ ତିଆରି ଚାଲେ ମୂର୍ତ୍ତି। ଏଠି ବିଭିନ୍ନ କ୍ଲବ ମଧ୍ୟରେ ଚାଲେ ପ୍ରତିଯୋଗିତା । କେଉଁଠି ୫୮ ଫୁଟ ଉଚ୍ଚର ମୂର୍ତ୍ତି ତ ଆଉ କେଉଁଠି ୩୫ ଫୁଟ୍ । ଯିଏ ଯେତେ ସଜେଇ ପାରିଲା । କିନ୍ତୁ ଏହାରି ଭିତରେ ରାସ୍ତାଘାଟ ଉପରେ କାହାରି ନଜର ପଡ଼ୁନି ।
ପୂଜା ସମୟରେ କଟକରେ ଗହଳି ଚହଳି ବଢ଼ିବ । ତେଣୁ ଟ୍ରାଫିକ ଠୁ ନେଇ ପରିମଳ ପର୍ଯ୍ୟନ୍ତ ସବୁକିଛି ସୁବିଧା ହେବ, ସେନେଇ ପ୍ରଶାସନ ଠାରୁ ଆଶା ରଖିଛନ୍ତି ବିଭିନ୍ନ ପୂଜା କମିଟି । କଟକ ସହରରେ ଏଯାଏ ସୁଧୁରୁନି ରାସ୍ତାଘାଟ ସ୍ଥିତି , ଅଧିକାଂଶ ରାସ୍ତା ଖାଲଖମା । କେବେ ମରାମତି ହେବ ସେକଥା ବି ଜଣା ନାହିଁ । ରାସ୍ତାଘାଟ ଅବସ୍ଥା ନେଇ କଟକ ନଗର କଂଗ୍ରେସ ପକ୍ଷରୁ ମହାନଗର ନିଗମ କମିସନରଙ୍କୁ ଭେଟି, ଏହାର ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି । ପୂଜା ପୂର୍ବରୁ ରାସ୍ତାଘାଟ ମରାମତି କାମ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସିଏମ୍ସି କମିସନର । ଗଣେଶ ପୂଜାକୁ ଆଉ ଦିନ କେଇଟା ବାକି ଥିବା ବେଳେ କାମ କେତେ ଶୀଘ୍ର ସରୁଛି ତାକୁ ହିଁ ଅପେକ୍ଷା ।