କନକ ବ୍ୟୁରୋ : ଆପଣ ଯଦି ଆପଣଙ୍କ ପିଲାକୁ ଆମେରିକାର ହାର୍ଭାର୍ଡ ୟୁନିଭରସିଟିରେ ପଢାଇବାକୁ ଚାହୁଛନ୍ତି ତା’ ହେଲେ ଆମର ଏ ଖବର ଉପରେ ପ୍ରଥମେ ନଜର ପକାନ୍ତୁ । ଆମେରିକାର ପ୍ରତିଷ୍ଠିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ଛାତ୍ରମାନଙ୍କ ପାଇଁ ପ୍ରବେଶ ବନ୍ଦ କରିଛି । ଟ୍ରମ୍ପ ପ୍ରଶାସନ ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ପ୍ରବେଶ ଦେବା ପାଇଁ ଆବଶ୍ୟକ ସାର୍ଟିଫିକେସନକୁ ରଦ୍ଦ କରିଛି । ଏହି ନିଷ୍ପତ୍ତି ଭାରତ ସମେତ ବିଭିନ୍ନ ଦେଶର ଅନେକ ଛାତ୍ରଙ୍କ ସ୍ୱପ୍ନକୁ ଚୂନା କରିଛି । ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଏହି କଡ଼ା ପଦକ୍ଷେପ ନେଇଛି, ଯାହା ଦ୍ୱାରା ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମାଙ୍କନ ପ୍ରକ୍ରିୟା ବନ୍ଦ ହୋଇଛି । ଏହି ନିଷ୍ପତ୍ତିର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ, କିନ୍ତୁ ଅନେକ ଆମେରିକୀୟ ଗଣମାଧ୍ୟମ ଏହାକୁ ବିପଜ୍ଜନକ କହିଛନ୍ତି । ଏହା କେବଳ ନୂଆ ପ୍ରବେଶ ଉପରେ ହିଁ ପ୍ରଭାବ ପକାଇବ ନାହିଁ, ବରଂ ବର୍ତ୍ତମାନ ହାର୍ଭାର୍ଡରେ ଅଧ୍ୟୟନରତ ବିଦେଶୀ ଛାତ୍ରଙ୍କ ଡିଗ୍ରି ପାଇଁ ମଧ୍ୟ ସମସ୍ୟା କରିବ । ଏହି ନିଷ୍ପତ୍ତି ଭାରତୀୟ ଛାତ୍ରମାନଙ୍କ ପାଇଁ ଏକ ବଡ଼ ଝଟକା । ପ୍ରତିବର୍ଷ ଅନେକ ଭାରତୀୟ ଛାତ୍ର ହାର୍ଭାର୍ଡରେ ଉଚ୍ଚଶିକ୍ଷା ପାଇଁ ଆବେଦନ କରନ୍ତି । ହାର୍ଭାର୍ଡର ଅଫିସିଆଲ ୱେବସାଇଟ୍ରେ କୁହାଯାଇଛି ପ୍ରତିବର୍ଷ ୫୦୦ରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ଅଂଶ ବିଶେଷ ହୁଅନ୍ତି । ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟରେ ଭାରତରୁ ୭୮୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।
ବିଦେଶୀ ଛାତ୍ରଛାତ୍ରୀଙ୍କୁ ହାର୍ଭାର୍ଡ କଟକଣା
ହାର୍ଭାର୍ଡରେ ଆଗାମୀ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବିଦେଶୀ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ନାହିଁ
ପ୍ରାୟ ୬,୮୦୦ ବିଦେଶୀ ଛାତ୍ରଙ୍କୁ ଅନ୍ୟ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ପଡ଼ିବ
ନହେଲେ ସେମାନେ ନିଜର ଆଇନଗତ ଭିସା ସ୍ଥିତି ହରାଇବେ
ଅଭିଯୋଗ ଅନୁସାରେ, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହିଂସା, ଇହୁଦୀ-ବିରୋଧୀ ମନୋଭାବ
ଏବଂ ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହ ସମନ୍ୱୟ କରୁଛି
ଅଧିକାରୀ କହିଛନ୍ତି, ବିଦେଶୀ ଛାତ୍ରଙ୍କ ନାମଲେଖାଇବା ଏକ ସୁବିଧା, ଅଧିକାର ନୁହେଁ
ହାର୍ଭାର୍ଡକୁ ଠିକ୍ କାମ କରିବାର ଅନେକ ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ତାହା କରିନାହିଁ
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏହି ନିଷ୍ପତ୍ତିକୁ “ଅବୈଧ” ଓ “ପ୍ରତିଶୋଧମୂଳକ” ବୋଲି କହିଛି
ବିଶ୍ୱବିଦ୍ୟାଳୟର ମୁଖପାତ୍ର କହିଛନ୍ତି, ଆମେ ଆମର ବିଦେଶୀ ଛାତ୍ର ଓ ଗବେଷକଙ୍କୁ ନାମଲେଖା ପାଇଁ ପୂର୍ଣ୍ଣ ପ୍ରତିବଦ୍ଧ
ଟ୍ରମ୍ପଙ୍କ ଏହି କାର୍ଯ୍ୟ ହାର୍ଭାର୍ଡ ସମୁଦାୟ ଓ ଆମ ଦେଶ ପାଇଁ ଗମ୍ଭୀର କ୍ଷତି ଆଣିବ: ମୁଖପାତ୍ର
ଆମର ଶୈକ୍ଷିକ ଓ ଗବେଷଣା ମିସନ୍କୁ ଦୁର୍ବଳ କରିବ
ହାର୍ଭାର୍ଡର ମୋଟ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୨୭% ଅର୍ଥାତ୍ ୬,୮୦୦ରୁ ଅଧିକ ବିଦେଶୀ ଛାତ୍ର
ଯେଉଁମାନେ ୧୪୦ରୁ ଅଧିକ ଦେଶରୁ ଆସିଛନ୍ତି