କନକ ବ୍ୟୁରୋ: ଏଥର ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ । ୫ ଥରର ବିଜେତା ମୁମ୍ବାଇକୁ ୫ ୱିକେଟରେ ହରାଇ ଫାଇନାଲରେ ପଞ୍ଜାବ କିଙ୍ଗସ୍ । ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ । ରବିବାର ବିଳମ୍ବିତ ମଧ୍ୟରାତି ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ । ଶ୍ରେୟସ ୪୧ ବଲ୍ରୁ ୮୭ ରନ୍ କରିଥିଲେ । ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ରାତି ୧.୩୮ରେ ସରିଥିଲା । ପୂର୍ବରୁ ମୋଟେରା ଷ୍ଟାଡିୟମ୍ରେ ରାତିରେ ତେଜ୍ ଦେଖାଇଥିଲେ ସୂର୍ଯ୍ୟ । ଚଳିତ ଋତୁରେ ସୂର୍ଯ୍ୟକୁମାର ୟାଦବ ତାଙ୍କ ସମସ୍ତ ୧୫ ମ୍ୟାଚ୍ରେ ୨୫ରୁ ଊର୍ଦ୍ଧ୍ବ ରନ୍ର ପାଳି ଖେଳିବା ସହ ରେକର୍ଡ କରିଛନ୍ତି ।
ଅଣ ଓପନର୍ ଭାବେ ମଧ୍ୟ ୭୦୦ ରନ୍ ସଂଗ୍ରହ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ସେ ମୋଟ ୭୧୭ ରନ୍ କରିଛନ୍ତି । ଏ କ୍ଷେତ୍ରରେ ଆଇପିଏଲ୍ ଇତିହାସରେ ୧୨ତମ ଏବଂ ମୁମ୍ବାଇର ପ୍ରଥମ ଖେଳାଳି ହୋଇଛନ୍ତି। ଏଲିମିନେଟର୍ରେ ଦୁଇ ଥର ଜୀବନଦାନ ପାଇଁ ୮୧ ରନ୍ କରିଥିବା ରୋହିତ ଶର୍ମା ଏଥର କିନ୍ତୁ କ୍ୟାଚ୍ ଡ୍ରପ୍ରୁ ଫାଇଦା ଉଠାଇପାରି ନଥିଲେ । ମାତ୍ର ୮ ରନ୍ କରିବା ପରେ ମାର୍କସ ଷ୍ଟୋଇନିସ୍ଙ୍କ ଶିକାର ହୋଇ ଫେରିଥିଲେ । ସୂର୍ଯ୍ୟଙ୍କୁ ଚହଲ ଆଉଟ୍ କରି ପୂର୍ବ ଓଭର ଛକାର ପ୍ରତିଶୋଧ ନେଇଯାଇଥିଲେ। ଜନି ବେୟାରଷ୍ଟୋ ମଧ୍ୟ ଆଉ ଏକ ଭଲ ପାଳି ଖେଳିଥିଲେ। ସୂର୍ଯ୍ୟ ଓ ତିଳକ ସମାନ ୪୪ ରନ୍ କରିବା ସହ ୭୨ ରନ୍ ଭାଗୀଦାରି ଗଢ଼ିବା ପରେ ମୁମ୍ବାଇ ୨୦୦ ରନ୍ ଟପିଥିଲା ।