କନକ ବ୍ୟୁରୋ: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ସହ ଜଡିତ ପ୍ରସଙ୍ଗ । ଏହା ଉପରେ କାନାଡା ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛି । ନିକଟରେ କାନାଡା ସରକାର ଭାରତୀୟ ହାଇ କମିଶନରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ସେମାନେ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଅଛନ୍ତି । ଏହାପରେ ଭାରତ ସରକାର ଏହାର ଅଧିକାରୀମାନଙ୍କୁ ସେଠାରୁ ଫେରାଇ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଅକ୍ଟୋବର ୧୯ ସୁଦ୍ଧା ଭାରତ ଛାଡିବାକୁ ୬ ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ଅଲ୍ଟିମେଟମ ମଧ୍ୟ ଦେଇଥିଲେ ।

Advertisment

ତେବେ ଏସବୁ ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି, ତାଙ୍କ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି । ଯଦି ଏହିପରି କିଛି ଘଟେ ତେବେ କେଉଁ ଦେଶ ଅଧିକ କ୍ଷତି ସହିବ । ଯଦି ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଜାରି ରହେ ତେବେ ଏହା ଉଭୟ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ । ବିଶେଷକରି ବ୍ୟବସାୟିକ ପୁଞ୍ଜି ବିନିଯୋଗ ଏବଂ ଆମଦାନୀ-ରପ୍ତାନି କ୍ଷେତ୍ରରେ ହ୍ରାସ ଘଟିବ । ଏହି ପରିସ୍ଥିତିକୁ ଧ୍ୟାନରେ ରଖି ଉଭୟ ଦେଶକୁ ଆର୍ଥିକ ରଣନୀତି ଉପରେ ବିଚାର କରିବାକୁ ପଡ଼ିବ ଏବଂ ସମ୍ଭାବ୍ୟ ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

 

  • ଭାରତ,କାନାଡା ମଧ୍ୟରେ ୭୦,୦୦୦ କୋଟି ଟଙ୍କା ମୂଲ୍ୟର ବାଣିଜ୍ୟ କାରବାର
  • ୨୦୨୨-୨୩ରେ ଉଭୟଙ୍କ ମଧ୍ୟରେ ୮.୩ ବିଲିୟନ ଡଲାରର ବାଣିଜ୍ୟ କାରବାର
  • ପରବର୍ତ୍ତୀ ବର୍ଷରେ ୮.୪ ବିଲିୟନ ଡଲାରକୁ ବୃଦ୍ଧି
  • ଦୁଇ ଦେଶ ମଧ୍ୟରେ କୌଣସି ବ୍ୟବସାୟ ବିବାଦ ନାହିଁ
  • ବିବାଦ ବଢ଼ିଲେ ଉଭୟ ପକ୍ଷ ଉପରେ ପ୍ରଭାବ ପଡ଼ିବ
  • କାନାଡାର ପେନସନ ପାଣ୍ଠି ଭାରତର ୬ ଲକ୍ଷ କୋଟି ଟଙ୍କା ନିବେଶ
  • ରିଅଲ ଇଷ୍ଟେଟ, ଆର୍ଥିକ ସେବା, ଶିଳ୍ପ ପରିବହନ ଏବଂ ଭିତ୍ତିଭୂମିରେ ନିବେଶ
  • ୬୦୦ଟି କାନାଡିୟ କମ୍ପାନୀ ଭାରତରେ ବ୍ୟବସାୟ କରୁଛନ୍ତି
  • ୩୦ରୁ ଅଧିକ ଭାରତୀୟ କମ୍ପାନୀ କାନାଡାରେ ୪୦,୪୪୬ କୋଟି ଟଙ୍କା ନିବେଶ
  • ୧୭,୦୦୦ କର୍ମଚାରୀ ଏହି କମ୍ପାନୀରେ କାମ କରନ୍ତି
  • ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗରେ ଉଭୟ ଦେଶର ଆର୍ଥିକ ସ୍ଥିତି ବେଶ ମଜଭୁତ

 

ସେପଟେ ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ନିଜ୍ଜର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ ପ୍ରମାଣ ଦେଇନାହିଁ । ବର୍ତ୍ତମାନ କାନାଡାର ଜାତୀୟ ସୁରକ୍ଷା ବିଶେଷଜ୍ଞ ଜୋ ଆଡାମ୍ ଜର୍ଜ ଏହି ପ୍ରସଙ୍ଗରେ ନିଜର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଜର୍ଜ କହିଛନ୍ତି, ନିଜ୍ଜାର ହତ୍ୟା ଘଟଣାରେ ଭାରତ ବିରୋଧରେ ଠୋସ୍‌ ପ୍ରମାଣ ନଥିବା ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି । ଏହି ଅଭିଯୋଗ ସାର୍ବଜନୀନ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି । କାନାଡା ଭାରତକୁ ଅଧିକ ପ୍ରମାଣ ନଦେଇ ଦୋଷ ଲଦିବା ଠିକ୍‌ ନୁହେଁ । ଏହାପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ । ଏହାପରେ ଭାରତ କଠୋରତା ଦେଖାଇ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି ଏବଂ ଟ୍ରୁଡୋ ଏହାକୁ ଏକ ରାଜନୈତିକ ଷ୍ଟଣ୍ଟ୍ ବୋଲି କହିଛି ।