କନକ ବ୍ୟୁରୋ : ଲାଲ୍‌ଗଡ଼ର ରକ୍ତର ହୋଲି ଛାଡ଼ି ସିନ୍ଦୁରର ନାଲି ରଙ୍ଗକୁ ଆପଣାଇଲେ ଦୁଇ ଦୁର୍ଦ୍ଦାନ୍ତ ନକ୍ସଲ ଦମ୍ପତି । ଜଙ୍ଗଲରେ ଦେଖା ଆଉ ପ୍ରେମ , ଆଉ ପ୍ରେମ ପରେ ଥାନାରେ ବିବାହ । ହିଂସା ନୁହେଁ ପ୍ରେମ ଓ ଶାନ୍ତିରେ ହିଁ ଜୀବନ ଅଛି । ଏ ବାର୍ତ୍ତା ଦେଇଛନ୍ତି ଛତିଶଗଡ଼ କାଙ୍କେର ଜିଲ୍ଲାର ଦୁଇ ହାର୍ଡକୋର ମାଓବାଦୀ ସାଗର ଓ ସଚିଲା । ଦିନେ ରକ୍ତରେ ହୋଲି ଖେଳୁଥିଲେ , କଥା କଥାକେ ବନ୍ଧୁକ ଉଠାଉଥିଲେ ହେଲେ ଆଜି ସ୍ଥିତି ବଦଳିଲା ।  ଜଙ୍ଗଲରେ ପ୍ରେମ  , ଆଉ ଥାନାରେ ହେଲା ବିବାହ । ଏଥିପାଇଁ ଥାନା କରିଥିଲା ସବୁ ଆୟୋଜନ । ବର ଓ କନ୍ୟା ପକ୍ଷ ସାଜିଥିଲା ପୁଲିସ । ପାରମ୍ପରିକ ଢୋଲ, ବାଜା ବାଜୁଥିଲା ଆଉ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ସାଗର ଏବଂ ସଚ୍ଚିଲା ସାତ ଜନ୍ମର ସାଥୀ ହୋଇଥିଲେ । ହିଂସା ଛାଡି ଶାନ୍ତିର ବାଟ ଆପଣାଇବାକୁ ଶପଥ ନେଇଥିଲେ ଉଭୟ ଦମ୍ପତି । 

Advertisment

ପ୍ରେମ କେଉଁଠି ବି ହୋଇପାରେ, କୌଣସି ପରିସ୍ଥିତିରେ ବି ହୋଇପାରେ । କେବଳ ବୁଝାମଣା ଓ ବିଶ୍ବାସ ନେଇ ଆଗକୁ ବଢିଥାଏ ପ୍ରେମ । ଯାହା ଘଟିଛି ଛତିଶଗଡ଼ର କାଙ୍କେର ଜିଲ୍ଲା ପାଖାଝୁର ଥାନା ପରିସରରେ ।  ଯେଉଁ କାନ୍ଧରେ ବନ୍ଧୁକ  ଝୁଲାଉଥିଲେ ଆଜି ସେହି ବନ୍ଧୁକ ଛାଡିଲେ, ହିଂସା ଛାଡିଲେ । ଆଉ ବିବାହ ବନ୍ଧନରେ ବାନ୍ଧି ହୋଇ ଶାନ୍ତିର ବାଟ ଆପଣାଇଲେ । ବନ୍ଧୁକ ଧରୁଥିବା ହାତରେ ମେହେନ୍ଦୀ ଲାଗିଲା । ବର କନ୍ୟା ବେଶରେ ସଜେଇ ହେଲେ ଦୁର୍ଦ୍ଦାନ୍ତ ନକ୍ସଲ ଦମ୍ପତି । ସାତ ଜନ୍ମର ସାଥୀ ହେଲେ ।  

ସାଗର ଡିର୍ଡୋ ଓ ସଚିଲା ମାଣ୍ଡାଭି  ଏହି ଦୁଇ ଦୁର୍ଦ୍ଦାନ୍ତ ନକ୍ସଲ ନିଜେ ବୁଝିଛନ୍ତି ଏବଂ ଅନ୍ୟମାନଙ୍କୁ ବାର୍ତ୍ତା ଦେଇଛନ୍ତି ଯେ ଜୀବନ ହିସାଂରେ ନୁହେଁ ପ୍ରେମ ଓ ଶାନ୍ତିରେ ଅଛି  । ମାଓ ପ୍ରଭାବିତ କାଙ୍କେର ଜିଲ୍ଲା ପାଖଞୁରର ଏହି ନିଆରା ପ୍ରେମ କାହାଣୀ ଏବେ ଚର୍ଚ୍ଚାକୁ ଆସିଛି । ହିସାଂର ବାଟ ଧରୁଥିବା ଅନ୍ୟ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ  ହେବା ପାଇଁ ବାର୍ତ୍ତା ବି ଦେଇଛନ୍ତି ।