କନକ ବ୍ୟୁରୋ: ବହୁତ କମ୍ ଲୋକ ଜାଣିଥିବେ ଯେ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ଜଣେ ଟ୍ରକ୍ ଡ୍ରାଇଭର ହେବାକୁ ଚାହୁଥିଲେ । କିନ୍ତୁ ତାଙ୍କ ମାଆ ଏବଂ ଭଉଣୀମାନଙ୍କ ଜିଦରେ ସେ କ୍ରିକେଟ୍ ଖେଳିବା ଜାରି ରଖିଥିଲେ । ପରେ, ସେ ଟେଷ୍ଟରେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଥିଲେ । ଆଜି ହରଭଜନ ସିଂହ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜି ଭଜ୍ଜି ୪୪ ବର୍ଷ ବୟସରେ ପାଦ ଦେଇଛନ୍ତି । 

Advertisment

ଗୋଟିଏ ସମୟରେ ହରଭଜନ ସିଂହ କ୍ରିକେଟ ଛାଡି ଟ୍ରକ୍ ଡ୍ରାଇଭର ହେବାକୁ ଯାଉଥିଲେ । ୨୦୦୦ ମସିହାରେ ଭଜ୍ଜିଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ମାଆ ଏବଂ ପାଞ୍ଚ ଭଉଣୀଙ୍କ ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା । ତେଣୁ ହରଭଜନ ସିଂହ ଟ୍ରକ୍ ଚଳାଇବା ପାଇଁ କାନାଡା ଯିବାକୁ ପ୍ରସ୍ତୁତ ହେଲେ । କିନ୍ତୁ ତାଙ୍କ ମା’ ଓ ଭଉଣୀମାନେ ତାଙ୍କୁ ଏପରି କରିବାରୁ ବାରଣ କଲେ ଏବଂ କ୍ରିକେଟ୍ ଖେଳିବା ଜାରି ରଖିବାକୁ ପ୍ରେରଣା ଦେଲେ । ପରେ ଭଜ୍ଜି ଅନ୍ତର୍ଜାତୀୟ କ୍ରିକେଟ ଖେଳିଲେ ଆଉ ଅନେକ ରେକର୍ଡ ନିଜ ନାଁରେ କରି ବନିଗଲେ ଭାରତର ଷ୍ଟାର କ୍ରିକେଟର । 

ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ୱିକେଟ୍ ନେବାରେ ହରଭଜନ ସିଂହ ପ୍ରଥମ ଭାରତୀୟ ବୋଲର । ସେ ଅଷ୍ଟ୍ରେଲିଆ ବିପକ୍ଷରେ କୋଲକାତା ଟେଷ୍ଟରେ ଏହି ସଫଳତା ହାସଲ କରିଥିଲେ । ଏହାପରେ ଭାରତ ପକ୍ଷରୁ ମହମ୍ମଦ ସାମି, ଇରଫାନ ପଠାନ ଏବଂ ଜସପ୍ରୀତ ବୁମରାହ ଟେଷ୍ଟରେ ହ୍ୟାଟ୍ରିକ୍ ୱିକେଟ୍ ନେଇଛନ୍ତି ।

ହରଭଜନ ସିଂହଙ୍କ କ୍ରିକେଟ କ୍ୟାରିୟର ବହୁତ ସଫଳ ଥିଲା । ସେ ଭାରତ ପାଇଁ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଏବଂ ୨୮ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ଟେଷ୍ଟରେ ୪୧୭, ଦିନିକିଆରେ ୨୬୯ ଏବଂ ଟି-୨୦ରେ ୨୫ ୱିକେଟ୍ ନେଇଛନ୍ତି । କ୍ରିକେଟରୁ ଅବସର ନେବା ପରେ ଭଜ୍ଜି ରାଜନୀତିରେ ପ୍ରବେଶ କରିଛନ୍ତି । ଆମ ଆଦମୀ ପାର୍ଟିର ଟିକେଟରେ ଭଜ୍ଜି ରାଜ୍ୟସଭା ସାଂସଦ ହୋଇଛନ୍ତି ।