କନକ ବ୍ୟୁରୋ: ଭାରତର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ 'ବ୍ଲାକ୍ ଟ୍ୟାକ୍ସି' ସହ ତୁଳନା କରିବା ପରେ ଜାତିବାଦୀ ବିବାଦ ସୃଷ୍ଟି ହୋଇଛି । ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର କମେଣ୍ଟ୍ରି ସମୟରେ ହରଭଜନ ଏଭଳି ବୟାନ ଦେଇଛନ୍ତି । ପ୍ରଥମ ଇନିଂସର ୧୮ତମ ଓଭରରେ ଆର୍ଚର ହାଇଦ୍ରାବାଦର ବ୍ୟାଟର ଇଶାନ କିଶନ ଓ ହେନରିକ୍ କ୍ଲାସେନଙ୍କୁ ବୋଲିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଓଭରର ଦ୍ବିତୀୟ ଓ ତୃତୀୟ ବଲ୍‌ରେ କ୍ଲାସେନ ଆର୍ଚରଙ୍କ ବିପକ୍ଷରେ କ୍ରମାଗତ ବାଉଣ୍ଡ୍ରି ମାରିବା ପରେ ହରଭଜନ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

Advertisment

ଆଇପିଏଲ ୨୦୨୫ରେ ହାଇଦ୍ରାବାଦ୍‌ ବିପକ୍ଷ ପ୍ରଥମ ମ୍ୟାଚରେ ଏହି ଡାହାଣ ହାତର ଦ୍ରୁତ ବୋଲର କୌଣସି ୱିକେଟ୍ ନନେଇ ମହଙ୍ଗା ପ୍ରଦର୍ଶନ କରିଥିଲେ । ହରଭଜନ ଆର୍ଚରଙ୍କୁ ଦେଇଥିବା ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ,ହେଲେ ହରଭଜନ ଭୁଲିଯାଉଛନ୍ତି ୨୦୦୮ରେ ଅଷ୍ଟ୍ରେଲିଆ ଗସ୍ତରେ ହରଭଜନଙ୍କୁ ଜାତିଆଣ ଆକ୍ଷେପରେ ୩ଟି ଟେଷ୍ଟ ମ୍ୟାଚରେ ବାସନ୍ଦ କରାଯାଇଥିଲା ଏବଂ ୫୦ପ୍ରତିଶତ ମ୍ୟାଚ ଫି' କଟାଯାଇଥିଲା । ସେତେବେଳେ ହରଭଜନ ଅଷ୍ଟ୍ରେଲିଆ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡଙ୍କୁ ମାଙ୍କଡ ବୋଲି କହିଥିଲେ ଏବଂ ପରେ ପରେ ଏହି ଘଟଣା ବଡ ଧରଣର ରୂପ ନେଇଥିଲା ।