କନକ ବ୍ୟୁରୋ : ନୂଆ ମୋଡ଼ ନେଲା ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଯୌନ କେଳେଙ୍କାରୀ ଅଭିଯୋଗ ମାମଲା । ଚାକିରି ପାଇଁ ବଡ଼ବାବୁ ଫେବର ମାଗୁଥିବା ନେଇ ଅଭିଯୋଗ ଆଣିଥିଲେ ମହିଳା କର୍ମଚାରୀ । ଖୋଲା ଧମକ ଦେଉଥିଲେ, ଅଭିଯୋଗ କଲେ ଚାକିରିରୁ ହଟାଇଦେବି । ସମ୍ବେଦନଶୀଳ ଏହି ଘଟଣାରେ ସୋହେଲା ବ୍ରାଞ୍ଚ ମ୍ୟାନେଜର ପ୍ରଭଞ୍ଜନ ମାଝୀଙ୍କୁ ପୁଲିସ ଗିରଫ କରିଥିଲା । ଘଟଣାରେ ଆରମ୍ଭ ହୋଇଛି ତନାଘନା । ପର୍ଦ୍ଦାଫାସ ହୋଇଛି ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଯୌନ କେଳେଙ୍କାରୀ ଘଟଣା । ଏହି ସାଂଘାତିକ ଘଟଣା ସାମନାକୁ ଆଣିଛନ୍ତି ପୂର୍ବତନ ମହିଳା କର୍ମଚାରୀ । କହିଛନ୍ତି, ଚାକିରି ପାଇଁ ଫେବର ମାଗୁଥିଲେ । ଆଉ ଅଭିଯୋଗ କଲେ ଚାକିରିରୁ ହଟାଇଦେବେ ବୋଲି ଧମକ ଦେଉଥିଲେ ।
ଯୌନ କେଳେଙ୍କାରୀ ଅଭିଯୋଗ ପରେ ତନାଘନା କରିଛନ୍ତି ଅଧିକାରୀ । ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତ ୧୬ ତାରିଖରେ ଗିରଫ ହୋଇଥିଲେ ସୋହେଲା ଶାଖାର ମ୍ୟାନେଜର ପ୍ରଭଞ୍ଜନ ମାଝୀ । ଏବେ ଫିଟୁଛି ଗୁମର । ନିର୍ଯାତିତ ମହିଳା ୫ ମାସ ପୂର୍ବରୁ, ବ୍ୟାଙ୍କ ସିଇଓଙ୍କ ପାଖରେ ଫେରାଦ ହୋଇଥିଲେ ମଧ୍ୟ ଏହାକୁ ଚପାଇ ଦିଆଯାଇଥିଲା । ଏବେ ପ୍ରସଙ୍ଗଟି ଚର୍ଚ୍ଚାକୁ ଫେରିବାରୁ ସିଇଓ ମେଡିକାଲ୍ ଲିଭ୍ରେ । କେତେବେଳେ ଦୁର୍ନୀତି ତ ଆଉ କେତେବେଳେ ଯୌନ ନିର୍ଯାତନା ପାଇଁ ଅପବାଦ ମୁଣ୍ଡାଉଛି ସମ୍ବଲପୁର ସମବାୟ ବ୍ୟାଙ୍କ । ଅଥଚ କୌଣସି ମାମଲାରେ ସଠିକ୍ ତଦନ୍ତ ହେଉନାହିଁ , ଦୋଷୀ ଖସିଯିବାରେ ସମର୍ଥ ହେଉଛନ୍ତି ।