କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ହେଉଛି ଏକ ମ୍ୟାଲେରିଆ ପ୍ରବଣ ଜିଲ୍ଲା । ଏଠାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଔଷଧୀୟ ଯୁକ୍ତ ମଶାରି ଯୋଗାଇ ଦିଆଯାଇଥିଲା । ହେଲେ ସଚେତନତା ଅଭାବରୁ ଚାଷୀ ଏହାକୁ କ୍ଷେତରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତଳି ସୁରକ୍ଷାରେ ବ୍ୟବହାର ହେଉଛି ଏଲ୍ଏଲ୍ଆଇଏନ୍ ମଶାରି । ଆଦିବାସୀ ଚାଷୀଙ୍କ କହିବା କଥା, ଔଷଧୀୟ ମଶାରି ତଳି ଚାରିପଟେ ବାନ୍ଧିଦେଲେ କୌଣସି କୀଟ ଭିତରକୁ ଯାଉନାହାନ୍ତି । କୁକୁଡ଼ା ବି ଯାଇ ପାରୁନାହାନ୍ତି । ତେଣୁ ସେମାନେ ଚାଷ ଜମିରେ ମଶାରି ଟାଙ୍ଗିଛନ୍ତି । ରାୟଗଡ଼ା ବ୍ଲକ ଅନ୍ତର୍ଗତ ଗୋଶେଇଖଣ୍ଟୁଆ, ବୈରାଗିହାଲୁଆ, ଉମରବାଲି, ବେଡ୍ଲି, କୁସ୍କୁ ଓ ପଣସଗୁଡ଼ାରୁ ଏହି ସବୁ ଦୃଶ୍ୟ ଆସିଛି । ଗୋଟିଏ ପଟେ ଲୋକ ବିନା ମଶାରିରେ ଖୋଲାରେ ଶୋଉଛନ୍ତି । ଆଉ ଅନ୍ୟପଟେ ମଶାରି ଚାଷୀ କ୍ଷେତରେ ଶୋଭା ପାଉଛି ।
ବର୍ଷକୁ ବର୍ଷ ରାୟଗଡ଼ାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଲୋକଙ୍କୁ ମାଗଣାରେ ଦିଆଯାଇଛି ଏଲ୍ଏଲ୍ଆଇଏନ୍ ମଶାରି । ଗତବର୍ଷ ଡିସେମ୍ବର ସୁଦ୍ଧା ଜିଲ୍ଲାରେ ମାଗଣାରେ ୬ ଲକ୍ଷ ୩୦ ହଜାରଟି ଔଷଧୀୟ ମଶାରି ବଣ୍ଟନ କରାଯାଇଥିଲା । ଆଶା ଥିଲା ଏହାଦ୍ୱାରା ମ୍ୟାଲେରିଆ ଓ ଡେଙ୍ଗୁକୁ କିଛି ମାତ୍ରାରେ ରୋକା ଯାଇପାରିବ । ହେଲେ ସଚେତନତାର ଅଭାବ ପାଇଁ ଆଦିବାସୀ ଚାଷୀ ଏହାକୁ ଚାଷରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଦୁର୍ଗମ ଅଞ୍ଚଳରେ ଦମନ ତଥା ନିଧି ମଉସାଙ୍କ ରଥ ପହଞ୍ଚିପାରୁନି କି ? ମ୍ୟାଲେରିଆ ପ୍ରବଣ ରାୟଗଡ଼ାରେ କାହିଁକି ରହୁଛି ସଚେତନତାର ଅଭାବ? ଏସବୁ ପ୍ରଶ୍ନର ଉତ୍ତର ଦେବା ସହ ଲୋକେ କିପରି ସଚେତନ ହେବେ ସେଥିପ୍ରତି ସରକାର ପଦକ୍ଷେପ ନେବା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/25/rayagada-2025-08-25-18-13-40.jpg)