କନକ ବ୍ୟୁରୋ : ଭରତପୁର ଥାନା କାଣ୍ଡକୁ ନେଇ ବିଜେପି ସରକାରକୁ ଘେରିବାକୁ ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । କିନ୍ତୁ ବିଜେପି ସରକାରକୁ ଘେରିବା ପୂର୍ବରୁ ଭୁବନେଶ୍ବର ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ବିଜେଡିର ହରତାଳ ପ୍ରସ୍ତୁତି ବୈଠକ ବେଳେ ଗୋଟିଏ ଗୋଷ୍ଠୀର କର୍ପୋରେଟର, ଅମରେଶ ଜେନା ଓ ବିରଂଚି ନାରାୟଣ ମହାସୁପକାରଙ୍କୁ ବିରୋଧ କରିଛନ୍ତି । ଏପରିକି ବାଇଁଆଁ ଓ ଲିଟୁ ବୈଠକରେ ପ୍ରବେଶ କରିବା ମାତ୍ରେ ଅନ୍ୟ କର୍ପୋରେଟର ମାନେ ବୈଠକକୁ ବର୍ଜନ କରିଥିଲେ । ଏହାକୁ ନେଇ ବେଶ କିଛି ସମୟ ପାଇଁ ଶଙ୍ଖ ଭବନରେ ହୋହାଲ୍ଳା ହୋଇଥିଲା । ଆଉ ଏସବୁ ଘଟିଛି ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ। 

Advertisment

ଭୁବନେଶ୍ବର ବିଜେଡିର ଗୋଟିଏ ଗୋଷ୍ଠୀ ଅମରେଶ ଓ ବିରଞ୍ଚିଙ୍କୁ ସମର୍ଥନ କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରି ଆସୁଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ବିବାଦ ହୋଇଛି। କିନ୍ତୁ ପରବର୍ତି ସମୟରେ ଏହାକୁ ସମାଧାନ କରିବା ପାଇଁ ଦଳ ପକ୍ଷରୁ ଉଦ୍ୟମ ହୋଇଛି । ହେଲେ, ଆଜିର ଦୃଶ୍ୟରୁ ସ୍ପଷ୍ଟ ହେଉଛି, ଭୁବନେଶ୍ବର ବିଜେଡିର କନ୍ଦଳ କେଉଁ ସ୍ତରରେ ରହିଛି ।  ବିଜେଡି ମଙ୍ଗଳବାର ଭୁବନେଶ୍ବର ବନ୍ଦ ଡାକରା ଦେଇଥିବାବେଳେ, ତା ପୂର୍ବରୁ ଦଳରେ ଏଭଳି କନ୍ଦଳ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ଏହା ତୀବ୍ର ରୂପ ନେଇପାରେ ବୋଲି ଆଲୋଚନା ହେଉଛି ।