ଦିବ୍ୟାଙ୍ଗ ଯୁବକଙ୍କ ସ୍ବାଭିମାନ ଭରା କାହାଣୀ । ଅନ୍ୟ ଉପରେ ନିର୍ଭର ନକରି ନିଜେ କରୁଛନ୍ତି ବ୍ୟବସାୟ । ୩ ଚକିଆ ଗାଡ଼ିରେ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି କଂସା ବାସନ । ବଡ଼ କଷ୍ଟରେ ଚଳୁଛି କେନ୍ଦ୍ରାପଡ଼ା ପରକୁଳା ଗାଁର ସମୀରଙ୍କ ପରିବାର । ପତ୍ନୀଙ୍କର ସୁନା ଅଳଙ୍କାର ବିକ୍ରି କରି କଂସା ବାସନ ବ୍ୟବସାୟ କରୁଛନ୍ତି ଦିବ୍ୟାଙ୍ଗ ଯୁବକ ସମୀର ସାହୁ । ତିନି ଚକିଆ ବାଇକରେ ଗାଁକୁ ଗାଁ ବୁଲି ବ୍ୟବସାୟ କରିବା ସହିତ ଚଳାଉଛନ୍ତି ପରିବାର । 

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପରକୁଳା ଗାଁର ଦିବ୍ୟାଙ୍ଗ ଯୁବକ ସମୀର ସାହୁ । ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ତଥାପି ସେ ବଞ୍ଚିବା ପାଇଁ କାହା ଉପରେ ନିର୍ଭର କରିନାହାନ୍ତି । ତିନି ଚକିଆ ଲୁନାରେ ଗାଁ ଗାଁ ବୁଲି କଂସାବାସନ ବିକ୍ରି କରୁଛନ୍ତି । ୪ ପ୍ରାଣୀ କୁଟୁମ୍ବଙ୍କ ସାହାରା ପାଲଟିଛନ୍ତି । ବି.ଏ ପାସ୍‌ କରିବା ପରେ ଚାକିରି ଖୋଜି ଖୋଜି ନିରାଶ ହୋଇଥିଲେ ସମୀର । ବ୍ୟବସାୟ ପାଇଁ ଅର୍ଥ ଅଭାବ ଥିବାରୁ ପତ୍ନୀଙ୍କ ସୁନା ଅଳଙ୍କାର ବିକ୍ରି କରି ଆରମ୍ଭ କରିଥିଲେ ବ୍ୟବସାୟ । ଏବେ ସେହି ବ୍ୟବସାୟ ତାଙ୍କ ଜୀବନ ଓ ଜୀବିକାର ମାଧ୍ୟମ ପାଲଟିଛି । 

ସମୀରଙ୍କ ଏହି ବ୍ୟବସାୟରେ ପରିବାରର ସମସ୍ତ ସଦସ୍ୟ ସହଯୋଗ କରନ୍ତି । ଗାଡ଼ିରେ କଂସା ବାସନ ରଖିବା ଠାରୁ ଆରମ୍ଭ କରି ସବୁ ପ୍ରକାର ସହଯୋଗ କରନ୍ତି ତାଙ୍କ ପତ୍ନୀ । ବ୍ୟବସାୟ କରିବା ପାଇଁ ଯାଉଥିବା ଆଖ ପାଖ ଅଞ୍ଚଳର ଲୋକମାନେ ମଧ୍ୟ ତାଙ୍କୁ ସହାୟତାର ହାତ ବଢ଼ାନ୍ତି । ହେଲେ ଏହି ବ୍ୟବସାୟରୁ ଯେତିକି ରୋଜଗାର ହୁଏ ସେଥିରେ ପରିବାର ଚଳିବା ସମ୍ଭବ ହୋଇନଥାଏ । ବଡ଼ କଷ୍ଟରେ ଚଳେ ସମୀରଙ୍କ ପରିବାର । ଆଜିର ବେରୋଜଗାର ଯୁଗରେ ସମୀରଙ୍କ ଭଳି ଜଣେ ଦିବ୍ୟାଙ୍କ ଯୁବକଙ୍କ ସ୍ବାଭିମାନ ଭରା କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ । ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳିଲେ ସେ ତାଙ୍କ ବ୍ୟବସାୟକୁ ଆହୁରି ଆଗକୁ ବଢ଼ାଇପାରନ୍ତେ ବୋଲି କହିଛନ୍ତି ସମୀର ।