କନକ ବ୍ୟୁରୋ: ଗାଁ ଗଣ୍ଡାରେ ବଞ୍ଚୁଥିବା ସରଳ ଲୋକଙ୍କ ପାଇଁ କଠୋର ହୋଇଯାଉଛି କି ସରକାରୀ ବ୍ୟବସ୍ଥା । ଏ ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ଦିବ୍ୟାଙ୍ଗ ଯୁବତୀ କେଉଁଠି ଭତ୍ତାରୁ ବଞ୍ଚିତ ହେଉଛି ତ ପୁଣି କେଉଁଠି କେୱାଇସି କଟକଣା ଛଡାଇ ନେଇଛି ଆହାର । ବ୍ୟବସ୍ଥାର ଦ୍ବାହି ଦେଇ ସରକାରୀ ବାବୁ ନିଜ ଦାୟିତ୍ବରୁ ଖସିଯାଉଛନ୍ତି । କିନ୍ତୁ ପେଶି ହେଉଛନ୍ତି ସାଧାରଣ ଲୋକ ।
ଖୁଆଇଲେ ଖାଇବେ ନହେଲେ ନାହିଁ । ବସିଗଲେ ଉଠିବାର ସାମର୍ଥ୍ୟ ବି ନାହିଁ । ବୟସ ୨୨ ଡେଇଁଲାଣି । ଦିବ୍ୟାଙ୍ଗର ପରିଚୟ ନେଇ ବଞ୍ଚୁଛନ୍ତି କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ। ପରିଣତ ବୟସରେ ବୁଢୀ ମା ବି କହୁଛି ଆଉ ମୁଁ ପାରୁନି। ପରଘରେ ପାଇଟି କଲେ ପେଟ ପୁରେ। କିନ୍ତୁ ଦଇବ ଦାଉ ସାଧିବା ଭଳି ଜୟପୁର ମେଦ୍ରି ସାହିର ଏ ବୁଢ଼ୀ ମାଆ ଉପରେ ଦାଉ ସାଧିଛି ସରକାରୀ ବ୍ୟବସ୍ଥା। ୭ ବର୍ଷ ହେବ ଝିଅକୁ ମିଳୁନି ଦିବ୍ୟାଙ୍ଗ ଭତ୍ତା। ଅନ୍ୟପଟେ କେୱାଇସି ଆଳରେ ମିଳୁଥିବା ମାଗଣା ଚାଉଳକୁ ବି କାଟି ଦେଇଛି ପ୍ରଶାସନ। ଯାହା ଆଗକୁ ମିଳିବ କି ନାହିଁ ସନ୍ଦେହ।
ଏ ହେଉଛନ୍ତି କାମାକ୍ଷାନଗର ପଣ୍ଡୁଆ ଗାଁର ଦିବ୍ୟାଙ୍ଗ ଖଗେଶ୍ବର ନାୟକ। ବୃଦ୍ଧା ମା ଓ ଦୁଇ ପୁଅଙ୍କୁ ଧରି ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଅଫିସରେ ପହଞ୍ଚିଛନ୍ତି। ସମାଜ ଆଗରେ ଖଗେଶ୍ବର ଦିବ୍ୟାଙ୍ଗ କିନ୍ତୁ ସରକାରୀ ବ୍ୟବସ୍ଥା ଆଖିରେ ନୁହେଁ। ଯେଉଁଥିପାଇଁ ଅନ୍ତ୍ୟୋଦୟ ଯୋଜନାରେ ଘରେ ଖଣ୍ଡିଏ ଦେବାକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଶୁଣିବାକୁ କେହି ନାହିଁ।
ସାଲେପୁରରୁ ଆସିଛି ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର । ୨ ମାସ ଧରି ପଞ୍ଚାୟତ ଅଫିସକୁ ଆସୁଥିଲେ ମଧ୍ୟ ମିଳୁନି ଭତ୍ତା । ଚାଲିବାକୁ ବଳ ନଥିଲେ ବି ଭତ୍ତା ଆଶାରେ ଆସି ନିରାଶ ହୋଇ ଫେରୁଛନ୍ତି ବୟସ୍କ ବ୍ୟକ୍ତି । କାହିଁକି ଭତ୍ତା ଟଙ୍କା ମିଳୁନି ତାହାର ଉତ୍ତର କାହା ପାଖରେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/12/handicapped-allowance-2025-07-12-20-16-49.jpg)