କନକ ବ୍ୟୁରୋ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ୍ ଆତଙ୍କୀ ସଂଗଠନ। ବନ୍ଧକ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛଡ଼ାଯିବ, ଏଥିସହ ଗାଜା ଷ୍ଟ୍ରିପ୍ର ଶାସନ ଡୋରକୁ ସ୍ୱାଧୀନ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବ । ଏନେଇ ସକାରାତ୍ମକ ଭାବନା ପ୍ରକାଶ କରିଛି ହମାସ। ତଥାପି, ଏହି ଆତଙ୍କୀ ସଂଗଠନ ସ୍ପଷ୍ଟ କରିଛି ଯେ ଏହି ଯୋଜନାର କିଛି ସର୍ତ୍ତକୁ ନେଇ ଆଲୋଚନା କରାଯାଉଛି । ହମାସ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ଯୋଜନା ଉପରେ ଏହାର ସରକାରୀ ପ୍ରତିକ୍ରିୟା ଜାରି କରାଯାଇଛି। ଆମେରିକା ରାଷ୍ଟ୍ରପତି ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ରବିବାର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ ।
ପ୍ରସ୍ତାବର ସର୍ତ୍ତାବଳୀରେ କୌଣସି ସଂଶୋଧନ କିମ୍ବା ଆଲୋଚନା ସମ୍ଭବ କି ନାହିଁ ତାହା ଟ୍ରମ୍ପ ସ୍ପଷ୍ଟ କରିନାହାନ୍ତି । ଯଦିଓ ହମାସ ଏହା ଉପରେ ଆଲୋଚନା କରିବାକୁ ଚାହୁଛି, ତେବେ ଭବିଷ୍ୟତରେ ଇସ୍ରାଏଲ ବିରୋଧରେ ହମାସ ଅସ୍ତ୍ର ଛାଡ଼ିବ କି ନାହିଁ ଏହି ପ୍ରତିକ୍ରିୟାରେ ତାହା ସ୍ପଷ୍ଟ କରିନାହିଁ । ଚଳିତ ସପ୍ତାହ ଆରମ୍ଭରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହୋଇଥିଲା ।
ହମାସକୁ ଦିଆଯାଇଥିଲା ୭୨ଘଣ୍ଟାର ସମୟ । ସର୍ତ୍ତ ନମାନିଲେ ମିଳିତ ଭାବେ ହମାସ ଉପରେ ବଡ଼ ଆକ୍ରମଣ କରିବାକୁ ଧମକ ଦେଇଥିଲେ ଉଭୟ ଇସ୍ରାଏଲ ଓ ଆମେରିକା । ତେବେ ହମାସର ଘୋଷଣା ପରେ ଇସ୍ରାଏଲର କହିଛି ଯେ ଯଦି ହମାସ ପ୍ରକୃତରେ ରାଜି, ତେବେ ୭୨ ଘଣ୍ଟାରେ ଯୁଦ୍ଧବିରତି ଏବଂ ସମସ୍ତ ବନ୍ଧକଙ୍କୁ ମୁକ୍ତ କରୁ । ଗାଜା ସଂଘର୍ଷ ବନ୍ଦ ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତି । ଆମେରିକାର ମଧ୍ୟସ୍ଥତା ସଫଳ ହେଲେ ମଧ୍ୟପ୍ରାଚ୍ୟରେ ବଡ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି ।