କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସମ୍ଭାଳ ସ୍ଥିତି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ବାଲେଶ୍ବର ସହର ନୂଆ ସାହିରେ କୃତ୍ରିମ ବନ୍ୟାରେ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ । ଖାଲ ଖମା ରାସ୍ତାରେ ପାଣି ଭର୍ତ୍ତି ହୋଇଥିବାରୁ ବାଧାପ୍ରାପ୍ତ ହୋଇଛି ଗମନାଗମନ । ବର୍ଷାପାଣି ନିଷ୍କାସନର ସ୍ଥାୟୀ ସମାଧାନ ହେଉନଥିବାରୁ ବାରମ୍ବାର ଏପରି ସମସ୍ୟା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । 

Advertisment

ସେପଟେ ବର୍ଷାରେ ବେହାଲ କେନ୍ଦୁଝର ଜିଲ୍ଲା । ଫୁଲୁଛି ତେଲକୋଇର ପ୍ରମୁଖ ନଦୀ ସମାକୋଇ । ଏଥିସହ ଅନ୍ୟ ନାଳ ଗୁଡ଼ିକରେ ବି ପାଣି ଭର୍ତ୍ତି । ତେଲକୋଇ ଡାକବଙ୍ଗଳା ନିକଟ ସମାକୋଇ ପୋଲ ଉପରେ ୩ ଫୁଟ୍ ଉଚ୍ଚର ପାଣି ଚାଲୁଥିବାରୁ ଯାତାୟାତ ବ୍ୟାହତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବି ଗତ ୩ ଦିନ ଧରି ଜାରି ରହିଛି ତୁହାକୁତୁହା ବର୍ଷା । ଜଳାର୍ଣ୍ଣବ ହୋଇଛି ଲେଫ୍ରିପଡ଼ା, ହେମଗିରି ଓ ଟାଙ୍ଗରପାଲି ବ୍ଲକ । ବରପାଲି ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ହେମଗିରି ବ୍ଲକର ମନୋହରପୁର-ସରବାହାଲ ରାସ୍ତା ଧୋଇଯାଇଛି । ସମ୍ବଲପୁରରେ ବି ପ୍ରବଳ ବର୍ଷା ହୋଇଛି । ହୀରାକୁଦରୁ ୮ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୫ଟି ଓ ଡାହାଣ ପାର୍ଶ୍ବରେ ୩ଟି ଗେଟ୍ ଖୋଲାଯାଇଛି । ସେପଟେ ସୁବର୍ଣ୍ଣରେଖା ନଦୀରେ ଚଳିତବର୍ଷ ଷଷ୍ଠଥର ବନ୍ୟା ଆଶଙ୍କା । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ହଜାର କ୍ୟୁସେକ୍ ପାଣି ଛଡ଼ାଯାଇଥିବାରୁ ବଢ଼ିପାରେ ନଦୀର ଜଳସ୍ତର ।