କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ଛାତିଥରା ଦୃଶ୍ୟ । ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଛି ଜାମ୍ମୁ କାଶ୍ମୀର ପାଣିପାଗ । ଭାରତର ଭୂସ୍ବର୍ଗ କାଶ୍ମୀରରେ ଏକ ସପ୍ତାହରେ ତୃତୀୟ ଥର ପାଇଁ ଘାଟିରେ ହେଲା ବାଦଲଫଟା ବର୍ଷା । ବର୍ଷା ପରେ ବାରମ୍ୱାର ଭୂସ୍ଖଳନରେ ବ୍ୟାପକ ଧନଜୀବନ ହାନି ଘଟୁଛି । ବୈଷ୍ଣୋଦେବୀ ଯାତ୍ରାପଥରେ ବଡ଼ ଧରଣର ଭୂସ୍ଖଳନ ଘଟି ଏଯାଏଁ ୩୨ ଜଣ ଭକ୍ତ ପ୍ରାଣ ହରାଇଛନ୍ତି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁ ବୈଷ୍ଣୋଦେବୀ ଯାତ୍ରା ବନ୍ଦ କରାଯାଇଛି ।
ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି ଭାରତୀୟ ସେନା । ଏପର୍ଯ୍ୟନ୍ତ ଜମ୍ମୁ ଡିଭିଜନରୁ ୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ, ପୁଲିସ ଏବଂ ସେନା ସତର୍କ ଅଛନ୍ତି । ଉତ୍ତର ରେଳବାଇ ଜମ୍ମୁ ଅଭିମୁଖେ ଯାଉଥିବା ୨୨ଟି ଟ୍ରେନକୁ ବାତିଲ କରିଥିବାବେଳେ ୨୭ଟି ଟ୍ରେନକୁ ବନ୍ଦ କରିଦିଆଯାଇଛି ।
ସେପଟେ ଲଗାତାର ବର୍ଷାରେ ସମଗ୍ର ଉତ୍ତର ଭାରତ ଛାରଖାର ହୋଇପଡ଼ିଛି । ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଦେଇ ପ୍ରବାହିତ ନଦୀଗୁଡିକରେ ବନ୍ୟା ଆସିଥିବା ବେଳେ ପଞ୍ଜାବର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ ନାକେଦମ୍ ହେଲାଣି ପ୍ରଶାସନ । ଅନେକ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ଉତ୍ତରପ୍ରଦେଶର ବିଭିନ୍ନ ନଦୀର ଜଳସ୍ତର ବଢି ତଳିଆ ଅଞ୍ଚଳ ବନ୍ୟା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ହିମାଚଳରେ ବର୍ଷା ପରେ ମାଟି ଅତଡ଼ା ଧସି ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଛି । ପର୍ଯ୍ୟଟକଙ୍କୁ
ସୁରକ୍ଷିତ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।