କନକ ବ୍ୟୁରୋ : ଦକ୍ଷିଣରୁ ଏବେ ପଶ୍ଚିମ ମୁହାଁ ମରୁଡ଼ି । ସମୟ ବିତିବା ସହ ଓଡ଼ିଶାରେ ସ୍ଥାନ ପରିବର୍ତ୍ତନ କରୁଛି ମରୁଡ଼ି । ତତ୍କାଳ ପ୍ରଭାବ ଜଣାପଡୁନି ସତ କିନ୍ତୁ ସ୍ଥିତି ଉତ୍କଟ ରୂପ ଧାରଣ କଲାଣି । ଆଗକୁ ଅଧା ଓଡ଼ିଶାକୁ ଭୋକମୁହଁକୁ ଠେଲିଦେବ ମରୁଡ଼ି ।
ଆଜି ପ୍ରଚଣ୍ଡ ତାତିର ପ୍ରଭାବ ଅନୁଭବ କରିଛି ସାରା ଓଡ଼ିଶା । ଡହଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ମଧ୍ୟାହ୍ନରେ ବାହାରେ ୧୦ ମିନିଟ୍ ଛିଡ଼ା ହେବା ମୁସ୍କିଲ ହୋଇପଡୁଛି । ଜଳବାୟୁ ପରିବର୍ତ୍ତନର ଇଏ କେବଳ ଏକ ଝଲକ ମାତ୍ର । ପାଣିପାଗ ପରିବର୍ତ୍ତନରେ ଏଲନିନୋର ବଡ଼ ପ୍ରଭାବ ରହୁଛି । ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନର ଭୟାବହ ରୂପ ଦେଖିବାକୁ ଯାଉଛି ଓଡ଼ିଶା । କେବଳ ପ୍ରଚଣ୍ଡ ତାତି ନୁହେଁ ଆଗକୁ ମରୁଡ଼ିର ମାୟାଜାଲରେ ଛଟପଟ ହେବ ରାଜ୍ୟ । ଖାସକରି ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ମରୁଡ଼ି କାୟା ବିସ୍ତାର କଲାଣି । ବିଂଶ ଶତାବ୍ଦୀରେ ସାରା ଓଡ଼ିଶାରେ ମରୁଡ଼ି ଦେଖିବାକୁ ମିଳୁଥିଲା । ଏକବିଂଶ ଶତାବ୍ଦୀର ଆରମ୍ଭରୁ ଏହା ପଶ୍ଚିମ ଓଡ଼ିଶା ମୁହାଁ ହୋଇଛି । ଜଳବାୟୁ ପରିବର୍ତ୍ତନ ଉପରେ କାମ କରୁଥିବା ନାଚ୍ୟୁରାଲ ହାଜାର୍ଡ ସଂସ୍ଥା, ୧୨୦ ବର୍ଷର ବର୍ଷା ତଥ୍ୟକୁ ବିଶ୍ଲେଷଣ କରି ଦେଇଥିବା ସର୍ଭେ ରିପୋର୍ଟରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ।
ମରୁଡ଼ିର ପ୍ରଭାବ କେବଳ କୃଷି କ୍ଷେତ୍ରରେ ସୀମିତ ନାହିଁ । ବରଂ ଏହା ଜଳବାୟୁ ପରିବର୍ତ୍ତନ, ଭୂତଳ ଜଳ ହ୍ରାସ ପଛର ବଡ଼ କାରଣ ସାଜି ଉଭା ହୋଇଛି । ବିଗତ ବର୍ଷ ଗୁଡ଼ିକ ତୁଳନାରେ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଦୁର୍ଭିକ୍ଷ ଭଳି ସ୍ଥିତି ସୃଷ୍ଟି ହୋଇନାହିଁ । କିନ୍ତୁ ମରୁଡ଼ିର ପ୍ରଭାବ ସ୍ଲୋ ପଏଜନ୍ ଭଳି ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି । ନଦୀ, ନାଳ ମୃତ୍ୟୁମୁହଁକୁ ଠେଲି ହୋଇଗଲାଣି । ମୌସୁମୀ ବର୍ଷା କ୍ଷେତ୍ରରେ ଅନିୟମିତତା କେତେବେଳେ ବନ୍ୟା ସ୍ଥିତି ସୃଷ୍ଟି କରୁଛି ତ ପୁଣି କେତେବେଳେ ସ୍ୱଳ୍ପ ବୃଷ୍ଟି ପାଇଁ ସହାୟକ ସାଜୁଛି । ଭୂତଳ ଜଳସ୍ତର କମିବା ହେତୁ ନଦୀ ଗୁଡିକ ଶୁଖି ଗଲାଣି । ବର୍ଷକୁ ପାଖାପାଖି ୬ ମାସ ଧରି ଜଳ ସଙ୍କଟ ଏହାର ସବୁଠୁ ବଡ ଉଦାହରଣ ।
ସମୟଚକ୍ରରେ ବିପର୍ଯ୍ୟୟର ରୂପରେଖ ବଦଳୁଛି । ହେଲେ ଏସବୁକୁ ଦୃଷ୍ଟିରେ ରଖି ଏବେଠୁ ସରକାର ବିପର୍ଯ୍ୟୟ ମୁକାବିଲାର ପ୍ରସ୍ତୁତି ଓ ରଣନୀତି ନକଲେ ପରିଣାମ କେବେ ବି ଉତ୍କଟ ହୋଇପାରେ ।