କନକ ବ୍ୟୁରୋ : ବଢୁଛି ବୁଢ଼ାବଳଙ୍ଗର ଜଳସ୍ତର। ଯେ କୌଣସି ମୁହୂର୍ତ୍ତରେ ସୀମା ଲଙ୍ଘିପରେ। ଗତକାଲି ସକାଳ ୬ରୁ ଆଜି ସକାଳ ୬ଟା ମଧ୍ୟରେ ମୟୂରଭଂଜ ଜିଲ୍ଲା ସହିତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ବରେହିପାଣିରେ ସର୍ବାଧିକ ୧୮୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେଣୁ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତ ଶୁକ୍ରବାର ସଂଧ୍ୟାରୁ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଥିବା ବର୍ଷା ଆଜି ଯାଏଁ ଜାରି ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଜିଲ୍ଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜମ୍ଭୀରା ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବିଶେଷକରି ଜଳକାର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବର୍ଷା ଲାଗି ରହିଥ‌ିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ସେହିପରି ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟରେ ଥିବା ଜଳାଶୟ ଓ ପ୍ରବାହିତ ନଦୀ ବି ଫୁଲୁଛି ।  ଖଇରୀ, ବୁଢ଼ାବଳଙ୍ଗ, ୱେଷ୍ଟ ଦେଓ, ସାଳନ୍ଦୀ, ସଞ୍ଜ, ଠକଠକି, ଖଡ଼ଖାଇ,ପଳପଳା, ଗଙ୍ଗାହାର ଆଦି ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଗୁଡୁଗୁଡିଆ ଠାରେ ଖାଇରୀଭାଣ୍ଡନ ନଦୀ ପୋଲ ଉପରେ ୨ ଫୁଟ  ପାଣି ପ୍ରବାହିତ ହେଉଛି। ତେଣୁ ନଦୀ ଉପକୂଳର୍ବୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ କଚ୍ଚା ଘରେ ନରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି। ଅନ୍ୟପଟେ, ବୁଢ଼ାବଳଙ୍ଗ ନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ନଦୀ ଜଳସ୍ତର ବୃଦ୍ଧି ଆଶଙ୍କାରେ ପୌରପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଛି। ବାରିପଦା ସହରର ତଳି ଅଞ୍ଚଳବାସୀଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ସୂଚନା ଦିଆଯାଇଛି। ଜିଲ୍ଲାପାଳ ହେମକାନ୍ତ ସାଏ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ବର୍ଷା ଯୋଗୁଁ କାନ୍ଥ ପଡ଼ି ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ସ୍ଥିତି ଆୟତରେ ରହିଛି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Advertisment

ବର୍ଷାରେ ବେହାଲ କପ୍ତିପଦା ଉପଖଣ୍ଡ। ଉପରମୁଣ୍ଡରେ ବର୍ଷା ଜାରି ରହିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଘରେ ବି ପଶିଛି ପାଣି। କପ୍ତିପଦା ବ୍ଲକର ଶାଳଚୁଆ ପଂଚାୟତ କଲୋନୀସାହିରେ ଲୋକଙ୍କ ଘରେ ପାଣି ପଶି ଯାଇଛି। ଘରେ ପାଣି ପଶିବାରୁ ମାଟି ଘର ଦବି ଯାଇଛି। କେତେକ ସ୍ଥାନରେ ମାଟି ଘରର କାନ୍ଥ ଭୁଶୁଡି ପଡିଛି। ଅନେକ ଘର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ଏବେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବାଲେଶ୍ବର ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ଉପରେ ବହୁଛି ଜଳକାର ଜଳସ୍ତର। ବିପଦ ସଂକେତ ୬.୫୦ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ।
ଜଳକା ଉପର ମୁଣ୍ତ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଛି। ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡାରେ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର। ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୧୦ ଏବଂ ବାଲେଶ୍ୱର ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହେବ। ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ବର୍ଷା ଯୋଗୁଁ ବର୍ତମାନ ବସ୍ତା ଅଞ୍ଚଳରେ ହଜାରେରୁ ଅଧିକ ଚାଷ ଜମିରେ ପାଣି ଜମି ରହିଛି। ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ମୁଖ୍ୟ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଛି। ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଉଛି। ଲୋକଙ୍କୁ ଦେବା ଲାଗି ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଡ୍ରେନ ପାଣିରେ ବୁଡିଛି ଦୋକାନ। ପାଣିରେ ବସି ଚାଲିଛି ବ୍ୟବସାୟ। ଗ୍ରାହକ ମଧ୍ୟ ପାଣିରେ ପଶି ସଉଦା ନେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରେମୁଣା ବ୍ଲକ ଶେରଗଡ ବଜାରରେ। ଲଗାଣ ବର୍ଷାରେ ଶେରଗଡ ମାର୍କେଟ କମ୍ଲେକ୍ସରେ ପାଣି ପସିଥିବା ବେଳେ ୬ଟି ଦୋକାନରେ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି। ଆଜି ସକାଳୁ ଦୋକାନୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ପାଣି ପଶିଥିବା ଦେଖିଥିଲେ। ତେଜରାତି ଦୋକାନ ଗୁଡିକରେ ଅନେକ ସାମଗ୍ରୀ ଓଦା ହୋଇଯାଇଛି । ବଜାରରେ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଛି । ଏ ବାବଦରେ ବିଡିଓଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର ହୋଇପାରିନାହିଁ। 

ଘର ଭିତରେ ଲହଡ଼ି ମାରୁଛି ବର୍ଷା ପାଣି। ହିନସ୍ଥା ହେଉଛନ୍ତି ୧୦ରୁ ଅଧିକ ପରିବାର। ୩ ଦିନ ହେବ ଘର ଭିତରେ ବର୍ଷା ପାଣି ପଶି ରହିଛି। ପାଣି ନିଷ୍କାସନ ନହେବାରୁ ଲୋକ ଘର ଛାଡ଼ୁଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷା ପାଣିରେ ବେହାଲ ହୋଇଛି ବାଲେଶ୍ୱର ଭୋଗରାଇ ବ୍ଲକ ଉଲୁଡ଼ା ଗାଁର ଚିତ୍ର। ଘରେ ଚୁଲି ନ ଜଳିବାରୁ  ଲୋକ ଶୁଖିଲା ଖାଦ୍ୟ ଖାଇ ଜୀବନ କାଟୁଛନ୍ତି। ସ୍କୁଲ ଭିତରେ ବି ପାଣି ପଶିଯାଇଛି। ସ୍କୁଲ ହତାରେ ଏବଂ ଶ୍ରେଣୀଗୃହରେ ବି ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ପାଣି ଜମି ରହିବାରୁ ୮ ଦିନ ହେଲାଣି ପାଠପଢା ସଂପୂର୍ଣ୍ଣ ବନ୍ଦ ରହିଛି। ଜଳ ନିଷ୍କାସନ ଠିକ ଭାବରେ ହୋଇ ପାରୁନଥିବା ସ୍ଥାନୀୟ ଲୋକ ଅଭଯୋଗ କରିଛନ୍ତି । ପ୍ରତିବର୍ଷ ବର୍ଷା ଋତୁ ଆସିଲେ ଚାରି ମାସ ପାଠପଢା ବାଧାପ୍ରାପ୍ତ ହୁଏ। ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କୌଣସି ଅଧିକାରୀ ଏପର୍ୟ୍ୟନ୍ତ ଆସିନଥିବା କହିଛନ୍ତି ଅଭିଭାବକ ।