କନକ ବ୍ୟୁରୋ : ଭଙ୍ଗାଘରେ ଅସହାୟ ବୃଦ୍ଧା। ବୟସ ୮୦ ଛୁଇଁଲାଣି। ଠିକ୍ ସେ ଚାଲି ପାରୁନାହାନ୍ତି ହେଲେ ଏବେ ପୁରା ପରିବାର ତାଙ୍କ ଉପରେ ନିର୍ଭରଶୀଳ। ପୁଅବୋହୂଙ୍କ ଦେହାନ୍ତ ପରେ ଦୁଇ ନାତୁଣୀ ଓ ନାତିର ଲାଳନପାଳନକୁ ନେଇ ଚିନ୍ତାରେ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଯୋଗୀମାଲ ଗାଁର ସମ୍ବାରୀ ଟପ୍ନୋ। ଦିନେ ହସିଲା ଖେଳିଲା ସଂସାର ଥିଲା। ପୁଅବୋହୂ ମୁଲମଜୁରି କରି ରୋଜଗାର କରୁଥିଲେ, ପରିବାର ଚଳୁଥିଲା। ହେଲେ ବିଧାତା ସହିଲା ନାହିଁ। ଆଗପଛ ହୋଇ ଆରପାରିକୁ ଚାଲିଗଲେ ପୁଅବୋହୂ। ବୋହୂ-ପୁଅଙ୍କ ଅକାଳ ମୃତ୍ୟୁ ପରେ ବୁଢ଼ୀ ଜେଜେ ମାଆଙ୍କ ଭରସାରେ ବଞ୍ଚୁଛନ୍ତି ଦଶମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଦୁଇ ନାତୁଣୀ ଓ ସପ୍ତମ ପଢୁଥିବା ନାତୀ। ଅଧାଗଢ଼ା ଆବାସ ସାଙ୍ଗକୁ ଭଙ୍ଗାଦଦରା ଘରେ ମୁଣ୍ଡ ଗୁଞ୍ଜିଛି ପୁରା ପରିବାର। ସରକାରୀ ସହାୟତା କହିଲେ ୨୫ କେଜି ଚାଉଳ ଓ ଜେଜେ ମାଆର ହଜାରେ ଟଙ୍କା ଭତାକୁ ଛାଡ଼ି ଦେଲେ ଆଉ କିଛି ନାହିଁ। ହଜାରେ ଟଙ୍କାରେ ଚଳିବା ସମ୍ଭବ ହେଉନଥିବାରୁ ଦଶମ ଶ୍ରେଣୀ ପାଠ ପଢୁଥିବା ବଡ଼ ନାତୁଣୀ ମେରିଅମ୍ ଏବେ ପାଠ ଛାଡ଼ି ମଜୁରି କରିବାକୁ ଯାଉଛି। ଯାହା ପାରିଶ୍ରମିକ ଆଣୁଛନ୍ତି ସେଥିରେ କଷ୍ଟମଷ୍ଟେ ଗୁଜୁରାଣ ମେଣ୍ଟୁଛି। ଆଉ ପ୍ରତିଦିନ ପ୍ରତିମୂହୁର୍ତ୍ତରେ ଆଖିରେ ଆଖିଏ ଲୁହ ନେଇ ସମୟ ସୁଅରେ ଭାସୁଛନ୍ତି କୁନିକୁନି ୩ ପିଲା।
ଅନ୍ୟପଟେ ଏହି ଅସହାୟ ପରିବାରର ଅସୁବିଧା ସଂପର୍କରେ ଟାଙ୍ଗରପାଲି ବିଡିଓ କଣ କହିଛନ୍ତି, ପ୍ରଥମେ ସମ୍ଭାରୀ ଟପ୍ପୋଙ୍କ ବୋହୂଙ୍କ ନାଁରେ କାର୍ଯ୍ୟାଦେଶ ଦିଆଯାଇଥିଲା। ତାଙ୍କ ମୃତ୍ୟୁ ପରେ ପୁଅଙ୍କ ନାଁରେ କାର୍ଯ୍ୟାଦେଶ ଦିଆଗଲା । ଘର ନିର୍ମାଣ ଶେଷ ହେବା ଆଗରୁ ସେ ବି ଚାଲିଗଲେ। ଏବେ ଆବାସ ସହଯୋଗ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ। ସେଥିପାଇଁ ସେ ସୁପାରିଶ କରିଛନ୍ତି ।
ଅଧିକ ପଢ଼ନ୍ତୁ : କୁଷ୍ଠରୋଗୀଙ୍କ ଅସହାୟ କାହାଣୀ ; ଅକର୍ମଣ୍ୟ ଜୀବନ କାଟୁଛନ୍ତି ସନ୍ନ୍ୟାସୀ
- ସମ୍ବାରୀଙ୍କ ପୁଅ ଓ ବୋହୂ ନାଁରେ ଆସିଥିଲା ଆବାସ ଘର
- ୨୦୨୩ରେ ବୋହୂଙ୍କ ମୃତ୍ୟୁ
- ୨୦୨୪ରେ ଆରପାରିକୁ ଚାଲିଗଲେ ପୁଅ
- ବୋହୂ-ପୁଅଙ୍କ ମୃତ୍ୟୁ ପରେ ଅଧାରେ ଆବାସ
- ଘର କରିଦେବ କହି ଟଙ୍କା ନେଇ ଛୁ’ ମାରିଛି ଠିକାଦାର!
- କେବଳ କାନ୍ଥ ଉଠିଛି, ଛାତ ପଡ଼ିନାହିଁ
- ଭଙ୍ଗାଦଦରା ଘରେ ଦିନ କାଟୁଛନ୍ତି ପୂରା ପରିବାର
----
ସମ୍ବାରୀ ଟପ୍ପୋଙ୍କ କାହାଣୀକୁ ନେଇ କିଛି ପ୍ରଶ୍ନ---- - ହଜାରେ ଟଙ୍କାରେ କେମିତି ଚଳିବେ ୪ ପ୍ରାଣୀ?
- କେବଳ ଚାଉଳରେ କ’ଣ ମେଣ୍ଟିବ ଭୋକ?
- କ’ଣ ହେବ କୁନିକୁନି ପିଲାଙ୍କ ଭବିଷ୍ୟତ?
- ଅଧାରୁ ଅଟକି ଯିବନି ତ ପାଠପଢ଼ା!
- ଅସହାୟ ପରିବାରକୁ ଠକିଥିବା ଠିକାଦାରଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/a5-2026-02-05-21-28-02.jpg)