କନକ ବ୍ୟୁରୋ: ଏପ୍ରିଲ ୨୨ ରେ ହୋଇଥିବା ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ପହଲଗାମରେ ୨୬ ଭାରତୀୟଙ୍କୁ ଆତଙ୍କୀ ହତ୍ୟା କରିବା ପରେ ଦେଶବାସୀଙ୍କ ମଧ୍ୟରେ ଘୋର ଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଆକ୍ରମଣରେ ଉଜୁଡିଗଲା ୨୬ ମା’ଙ୍କ ସୁହାଗ ସିନ୍ଦୂର । ଏହାପରେ  ବିହାର ବୈଶାଳୀ ଜିଲ୍ଲାର ହାଜିପୁର ମହିଳା ନେଲେ ଦୃଢ ସଙ୍କଳ୍ପ । ପହଲଗାମ୍ ଆକ୍ରମଣର ଜବାବ ଦେଇ ୨୬ ନାରୀଙ୍କ ସିନ୍ଦୂରକୁ ନ୍ୟାୟ ନଦେବା ଯାଏଁ ନିଜେ ସିନ୍ଦୂର ପିନ୍ଧିବେ ନାହିଁ ବୋଲି କଲେ ସଙ୍କଳ୍ପ । ମଙ୍ଗଳବାର ଅଧରାତିରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଏୟାର ଷ୍ଟ୍ରାଇକ୍ କରିବା ପରେ ଏଠିକାର ମହିଳାଙ୍କ ମଧ୍ୟରେ  ନାହିଁନଥିବା ଖୁସି । ସମସ୍ତେ ଖେଳିଛନ୍ତି ସିନ୍ଦୂର ଖେଳ । ପରସ୍ପରକୁ ପିନ୍ଧାଇଛନ୍ତି ସିନ୍ଦୂର ।

Advertisment

ହାଜିପୁରର ମହିଳାଙ୍କ କହିବା କଥା, ସିନ୍ଦୂର ମହିଳାଙ୍କ ପ୍ରଥମ ଶୃଙ୍ଗାର । ଏହା ସୌଭାଗ୍ୟବତୀର ପ୍ରତୀକ । ଯେଉଁଭଳି ଭାବେ ଆତଙ୍କବାଦୀ ମାନେ ୨୬ ମହିଳାଙ୍କ ଆଗରେ ସେମାନଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କଲେ ତା’ର କଡା ଜବାବ ଦେବା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ହାଜିପୁରର ମହିଳାମାନେ ।