କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । କେଉଁଠି ବର୍ଷା ପବନ ତ କେଉଁଠି କୁଆପଥର ମାଡ଼ । ଗତ ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା ପବନରେ ଭିଜିଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳ । ରାତି ୧୨ଟା ବେଳେ ହଠାତ୍ ପବନ ଆରମ୍ଭ ହୋଇଥିଲା । ସେତେବେଳେ ଅସ୍ତରଙ୍ଗର ମାଣ୍ଡୁକିଠାରେ ଏକ ଯାତ୍ରାପାର୍ଟିର ନାଟକ ପରିବେଷଣ ହେଉଥିଲା । ପବନ ଏତେ ଜୋରରେ ହୋଇଥିଲା ଯେ, ଟେଣ୍ଟ ଭାଙ୍ଗିଯାଇଥିଲା । ଟେଣ୍ଟ ଭିତରେ ପାଣି ପଶିଯାଇଥିଲା । ଯାତ୍ରା ପେଣ୍ଡାଲରେ ଦୁଲ ଦୁଲ ପାଣି ଗଳିବା ପରେ ଶେଷରେ ଯାତ୍ରାକୁ ବନ୍ଦ କରିବାକୁ ପଡିଥିଲା । ପ୍ରାୟ ୨ ଘଣ୍ଟା ଧରି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା ।
ସେହିପରି କୋରାପୁଟ ଜିଲ୍ଲାରେ ହୋଇଛି କୁଆପଥର ବର୍ଷା । କୋରାପୁଟ ସଦର ମହକୁମା ଏବଂ ଜିଲ୍ଲାର ସସାହାଣ୍ଡିରେ କୁଆପଥର ବର୍ଷା ହୋଇଥିଲା । ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହୋଇଥିଲା । କିନ୍ତୁ ଖଣ୍ଡ ଖଣ୍ଡ କୁଆପଥର ଆକାଶରୁ ବର୍ଷୁଥିବା ଦେଖିବାକୁ ମିଳିଥିଲା ।
ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ବିଭିନ୍ନ ଅଞ୍ଚଳରେ ବି କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୧୦.୩୦ରେ ଆରମ୍ଭ ହୋଇଥିଲା ବର୍ଷା ଓ ପବନ । ବର୍ଷା ସାଙ୍ଗକୁ ପବନ ମାଡରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବା ଚିତ୍ର ସକାଳୁ ଦେଖିବାକୁ ମିଳିଥିବା ବେଳେ ଗତକାଲି ରାତିରେ ଦୀର୍ଘ ସମୟ ଧରି କରେଣ୍ଟ ଚାଲିଯାଇଥିଲା । ଯଦିଓ ବର୍ଷା ପବନ ପାଇଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା, କିନ୍ତୁ କରେଣ୍ଟ କଟିବା କାରଣରୁ ରାତିରେ ଗୁଳୁଗୁଳି ହୋଇଥିବା ଲୋକେ କହିଛନ୍ତି ।