କନକ ବ୍ୟୁରୋ: ପହଲଗାମ୍ ଆଟାକକୁ ନେଇ ଏବେ ଚାରିଆଡ଼େ ବଦଲାର ମାହୋଲ । ପାକିସ୍ତାନ ଉପରେ ତୁରନ୍ତ ଭାରତ ଆକ୍ରମଣ କରୁ ବୋଲି ଅନେକ ଲୋକ ଦାବି କରୁଥିବାବେଳେ, ଏବେ ସେନା ବି ପୂରାପୂରି ଆକ୍ସନ ମୋଡରେ । ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି, ପାକିସ୍ତାନର କିଛି ପ୍ରମୁଖ ଜାଗା । ଯେଉଁ ସବୁ ସ୍ଥାନକୁ ଟାର୍ଗେଟ୍ କରି ପାକିସ୍ତାନକୁ ତଳି ତଳାନ୍ତ କରିପାରିବ ଭାରତୀୟ ସେନା ।

Advertisment

ଭାରତୀୟ ସେନାର ମୁଖ୍ୟ ଟାର୍ଗେଟରେ ରହିଛି ତାଲିକାରେ ଲସ୍କର-ଏ-ତଏବାର ପ୍ରତିଷ୍ଠାତା ହାଫିଜ୍ ସଇଦ । ଯାହାକୁ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ବି କୁହାଯାଏ । ଜାତିସଂଘ ହାଫିଜକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଛି । ଆଉ ତା ଦ୍ୱାରା ପରିଚାଳିତ ଲସ୍କରର ମୁଖ୍ୟାଳୟ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରିଦକେରେ ବୋଲି ଚର୍ଚ୍ଚା ହୁଏ । ତେଣୁ ଏପରି ପରିସ୍ଥିତିରେ, ଭାରତ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନରେ ସଇଦର ଆଡ୍ଡା ଉପରେ ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମସୁଦ ଆଝାର । ୨୦୧୯ ପୁଲୱାମା ଆକ୍ରମଣ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିବା ମସୁଦ ଏବେ ପାକିସ୍ତାନରେ। ଚର୍ଚ୍ଚା ହେଉଛି ଯେ, ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ, ଭାରତୀୟ ସେନା ମସୁଦ ଆଝାର ଏବଂ ତାଙ୍କର ଜୈଶ-ଏ-ମହମ୍ମଦର ତାଲିମ ଶିବିର ଉପରେ ଆକ୍ରମଣ କରିପାରେ । ଜୈଶ-ଏ-ମହମ୍ମଦର ତାଲିମ ଶିବିରଗୁଡ଼ିକ ମୁଖ୍ୟତଃ POK ଏବଂ ପଞ୍ଜାବର ବାହାବଲପୁରରେ ଅବସ୍ଥିତ। ପିଓକେର ରାୱଲକୋଟ, ମୁଜାଫରାବାଦ ଏବଂ କୋଟଲି ଭଳି ଅଞ୍ଚଳରେ ଜୈଶର ଅନେକ ଲଞ୍ଚ ପ୍ୟାଡ୍ ଏବଂ ତାଲିମ ଶିବିର ମଧ୍ୟ ସକ୍ରିୟ ଅଛି ।

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ୨୦୨୨ ମସିହାରୁ ପାକିସ୍ତାନର ସେନାମୁଖ୍ୟ ପଦରେ ଅଛନ୍ତି । ତେବେ ଏହାପୂର୍ବରୁ ସେ ISI ମୁଖ୍ୟ ଥିବାରୁ ତାଙ୍କ ନାମ ପୁଲୱାମା ଆକ୍ରମଣ (୨୦୧୯) ଏବଂ ପହଲଗାମ ଆକ୍ରମଣ (୨୦୨୫) ଭଳି ଆତଙ୍କବାଦୀ ଆକ୍ରମଣ ସହିତ ଯୋଡା ଯାଇଛି। ତେଣୁ ପାକିସ୍ତାନ ସେନାର ମୁଖ୍ୟାଳୟ ରାୱଲପିଣ୍ଡିରେ ଅବସ୍ଥିତ, ତେଣୁ ପାକିସ୍ତାନ ବିରୋଧରେ ଭାରତ ଯୁଦ୍ଧ ଘୋଷଣା କଲେ, ସେନା ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ୍ କରିପାରିବ ଭାରତୀୟ ସେନା ।

ବର୍ତ୍ତମାନର ସୂଚନା ଅନୁଯାୟୀ, ପାକ୍ ଅଧିକୃତ କାଶ୍ମୀରରେ ୧୭ଟି ତାଲିମ ଶିବିର ଏବଂ ୩୭ଟି ଲଞ୍ଚ ପ୍ୟାଡ୍ ସକ୍ରିୟ ଅଛି, ଯାହା ଲସ୍କର, ଜୈଶ-ଏ-ମହମ୍ମଦ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ହେଉଛି। ଏହି ଶିବିରଗୁଡ଼ିକ ଭାରତରେ ଅନୁପ୍ରବେଶ ଏବଂ ଆକ୍ରମଣ ପାଇଁ ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରନ୍ତି। ଏହି ଲଞ୍ଚ ପ୍ୟାଡ୍ ମୁଖ୍ୟତଃ ମୁଜାଫରାବାଦ, ରାୱଲକୋଟ, ବାଗ ଏବଂ କୋଟଲି ଭଳି ଅଞ୍ଚଳରେ ଅଛି। ଏହି ଲଞ୍ଚ ପ୍ୟାଡ୍ ଗୁଡ଼ିକ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ମୁଖ୍ୟ ଉତ୍ସ। ତେଣୁ ଯଦି ଭାରତ, ପାକିସ୍ତାନ ବିରୋଧରେ କୌଣସି ଆକ୍ସନ ନିଏ, ତେବେ ଏହି ଲଞ୍ଚ ପ୍ୟାଡ ଗୁଡିକୁ ମାଟିରେ ମିଶାଇବା ମୁଖ୍ୟ ଲକ୍ଷ୍ୟ ରହିବ ।