odisha Photograph: (kanak news)
କନକ ବ୍ୟୁରୋ: ରାଜଧାନୀର ଛାତି ଉପରେ ଗୁଣ୍ଡାରାଜ । ସାଧାରଣ ଲୋକଟିଏ ନ୍ୟାୟ ପାଇଁ ଥାନାର ପାହାଚ ଚଢ଼ିଲେ ତାକୁ କିଭଳି ପରିଣାମ ଭୋଗିବାକୁ ପଡୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସହିଦ ନଗର ଥାନା ଅନ୍ତର୍ଗତ ସତସଙ୍ଗ ବିହାର ଅଞ୍ଚଳରେ । ଥାନାରେ ଅଭିଯୋଗ କରିବା ପରେ ଜଣେ ମହିଳା ବ୍ୟବସାୟୀଙ୍କୁ ରାସ୍ତା ଉପରେ କଟୁରୀରେ ହାଣି ରକ୍ତାକ୍ତ କରିଦେଇଛନ୍ତି ଦୁର୍ବୁତ୍ତ ।
କ’ଣ ଥିଲା ପୁରା ଘଟଣା?
ସୂଚନା ଅନୁଯାୟୀ, ସହିଦ ନଗର ତାରିଣୀ ବସ୍ତିର କନକଲତା ସାହୁ ସତସଙ୍ଗ ବିହାର ପାର୍କ ନିକଟରେ ଏକ ମକା ଦୋକାନ କରି ପେଟ ପୋଷନ୍ତି । ଗତକାଲି ତାଙ୍କ ପାଖରୁ ମୋବାଇଲ୍ ଏବଂ ଟଙ୍କା ଚୋରି ହୋଇଥିଲା । ଏନେଇ ସେ ସହିଦ ନଗର ଥାନାରେ ଏତଲା ଦେଇଥିଲେ । କିନ୍ତୁ ଏହି ସାହସିକତା ତାଙ୍କ ପାଇଁ କାଳ ହେଲା । ପୁଲିସ ପାଖକୁ କାହିଁକି ଗଲୁ ବୋଲି କହି ଦୁର୍ବୁତ୍ତ ଜଣକ ଆଜି ସନ୍ଧ୍ୟାରେ କନକଲତା ଦୋକାନକୁ ଆସୁଥିବା ବେଳେ ଏକ ଧାରୁଆ କଟୁରୀରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ।
ଦୁର୍ବୁତ୍ତର କଟୁରୀ ଚୋଟରେ କନକଲତା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ସ୍ୱାମୀ ପ୍ରକାଶ ବେହେରା ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଘଟଣାସ୍ଥଳରେ ସହିଦ ନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ମହିଳାଙ୍କୁ ଏଭଳି ଦିବାଲୋକରେ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
Follow Us