କନକ ବ୍ୟୁରୋ: ସମୁଦ୍ର କୂଳ ଲଙ୍ଘିଲାଣି, ସମୁଦ୍ର ଆଁରେ ବେଳଭୂମି ଲିଭିବାକୁ ବସିଲାଣି । କଥାରେ କହନ୍ତି ସିନା,ସମୁଦ୍ର ଯାହା ନିଏ, ତା ଫେରେଇଦିଏ । ହେଲେ ଏଠି କିନ୍ତୁ ଗୋଟେ ସୁନ୍ଦର ପର୍ଯ୍ୟଟନସ୍ଥଳୀକୁ ଯେମିତି ନିଶ୍ଚିହ୍ନ କରିବାରେ ଲାଗିପଡିଛିଟ୍ଟ ଏ ଅଶାନ୍ତ ସମୁଦ୍ର । ଘୁ ଘୁ ଗର୍ଜନ ସହ, ନିଜ ଆଁ ରେ, ଖାଇ ଚାଲିଛି ଏ ପୂରା ଅଞ୍ଚଳକୁ...
ଏ ହେଉଛି କେନ୍ଦ୍ରାପଡା ରାଜନଗର ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ହଟାଳିଖଟି । ଦିନ ଥିଲା, ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଲାଗୁଥିଲା, ଆଉ ଏ ନିର୍ଜନ ବେଳାଭୂମିର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କାହିଁ କେତେ ଦୂରରୁ ଲୋକମାନେ ଏଠାକୁ ଛୁଟି ଆସୁଥିଲେ । ହେଲେ ଏବେ କିନ୍ତୁ ସ୍ଥିତି ପୂରାପୂରି ଓଲଟା...
କୂଳ ଲଙ୍ଘିଛି ସମୁଦ୍ର, ଆଉ ନିଜ ଅଶାନ୍ତ ଢେଉରେ ଜବର ଦଖଲ କରିଚାଲିଛି ଏ ସୁନ୍ଦର ବେଳାଭୂମିକୁ । କେଉଁଠି ତିଆରି ହେଇଥିବା କଟେଜର ରଡ୍ ଦିଶିଲାଣି, ତ ଆଉ କେଉଁଠି ମୁଣ୍ଡକୁ ନୁଆଁଇ ଠିଆ ହେଇଛି, ଏମିତି କିଛି କଟେଜ୍ ହାଉସ୍ । ସମୁଦ୍ରର ଢେଉ ଆଉ ପୂର୍ବଭଳି ବୋଲ ନ ମାନି, ଏବେ ହବାଳିଖଟି ପାଖରେ କୂଳ ଲଙ୍ଘିଥିବା ବେଳେ, ଏ ସୁନ୍ଦର ପର୍ଯ୍ୟଟନସ୍ଥଳୀଟି, ବିଶ୍ୱ ମାନଚିତ୍ରରୁ ଗାଏବ ହେବାକୁ ବସିଲାଣି ।
ହବାଳିଖଟି ଚର୍ଚ୍ଚାକୁ ଆସିଥିଲା ବାତ୍ୟା ଦାନା ସମୟରେ । ସେ ସମୟରେ ଏହି ସ୍ଥାନରେ ହିଁ ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିଥିଲା । ଆଉ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ,ସମୁଦ୍ର ଏବେ ୧୦୦ ଫୁଟ୍ ଭିତରକୁ ମାଡିଆସିଛି । ଯାହା ଫଳରେ ଏବେ ଏବେ ତିଆରି ହେଇଥିବା କଟେଜର ତଳୁ ବାଲି ଧୋଇଯାଇଥିବା ବେଳେ, କେଉଁ ମୁହୂର୍ତ୍ତରେ ବି ଏହା ସମୁଦ୍ର ଗର୍ଭକୁ ଚାଲିଯାଇପାରେ ବୋଲି ଚର୍ଚ୍ଚା ହେଲାଣି ।
ଗତବର୍ଷ ଏହି କଟେଜ ଗୁଡିକୁ ସୁନ୍ଦର ଭାବେ ନିର୍ମାଣ କରାଯାଇ ସଜା ଯାଇଥିଲା ପର୍ଯ୍ୟଟକମାନଙ୍କ ପାଇଁ । ମାତ୍ର ଏବେ ଏହାର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡିଛି । ତେବେ ଏ ସୁନ୍ଦର ବେଳାଭୂମି ଉପରେ ଜଳବାୟୁର ପରିବର୍ତନ କେତେ ମାତ୍ରାରେ ପଡୁଛି, ତାହା ଏ ଚିତ୍ର ହିଁ ବୟାନ କରୁଛି । ଯେଉଁଠି ଦିନେ ପର୍ଯ୍ୟଟକମାନେ ବସି ସୁନ୍ଦର ବେଳଭୂମିର ମଜା ନେଉଥିଲେ, ଏବେ ସେଠି ମାଡ ହେଉଛି ବଡ଼ ବଡ଼ ସମୁ୍ଦ୍ର ଜୁଆର ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତମାସ ନଭେମ୍ବର ମାସଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନବିଭାଗ ଏହି ପର୍ଯ୍ୟଟନସ୍ଥଳୀ ଖୋଲି ଦେଇଛି । କେବଳ ଖୋଲାଯାଇନି, ଚଳିତମାସ ୩୧ ତାରିଖ ଯାଏଁ ପ୍ରାୟ ସବୁ ରୁମ ବୁକିଂ ରହିଛି । ହେଲେ ଏପରି ସ୍ଥିତିରେ ବନବିଭାଗ ପର୍ଯ୍ୟଟକମାନଙ୍କୁ ସେଠାରେ କିପରି ରଖିବ, ଆଉ ପର୍ଯ୍ୟଟକମାନେ ଏଠାରେ କିପରି ରାତ୍ରୀଯାପନ କରିବେ, ତାକୁ ନେଇ ପ୍ରଶ୍ନ ଉଠିଛି ।