କନକ ବ୍ୟୁରୋ : ଆମେରିକା ଓ ଭାରତ ମଧ୍ୟରେ ବିଗୁଡୁଥିବା ସଂପର୍କକୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । ଆମେରିକା ତରଫରୁ ଭାରତର ନାଗରିକଙ୍କ ପାଇଁ ରହିଥିବା ଏଚ୍-୧ବି ଭିସା ବନ୍ଦ କରିବାକୁ ଆମେରିକୀୟମାନେ ଦାବି କରିଛନ୍ତି । ଏହି ଭିସା ଯାହାକି ଦୀର୍ଘ ସମୟ ଧରି ଭାରତୀୟ ଆଇଟି ଇଞ୍ଜିନିୟରମାନଙ୍କ ପାଇଁ ଆମେରିକାରେ କ୍ୟାରିଅର ଗଢ଼ିବାରେ ଏକ ଆଦର୍ଶମାର୍ଗ ଭାବେ ପରିଗଣିତ ହେଉଥିଲା ସେହି ଭିସା ବ୍ୟବସ୍ଥା ଏବେ ପୁଣି ଥିରେ ବିରୋଧର ସମ୍ମୁଖୀନ ହେଉଛି ।
ଗୋଟିଏ ପଟେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍ ପରେ ଟାରିଫ୍ ଲାଗୁ କରି ଚାପ ଦେଉଛନ୍ତି ଓ ଏହାକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ସେପଟେ ଟ୍ରମ୍ପଙ୍କ ସମର୍ଥକ ବର୍ଗ ଭାରତୀୟମାନେ (ଯେଉଁମାନେ ଆମେରିକାରେ ଚାକିରି କରୁଛନ୍ତି) ସେମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ମାଗା ବି ମେକ୍ ଆମେରିକା ଗ୍ରେଟ୍ ଏଗେନ ଗୋଷ୍ଠୀ ଏହି ଅଭିଯାନର ଅଂଶ ଭାବେ ଏଚ୍-୧ବି ଭିସା କାର୍ଯ୍ୟକ୍ରମକୁ ଲକ୍ଷ୍ୟ କରୁଛି । ଯାହା ଦ୍ୱାରା ପ୍ରତିବର୍ଷ ହଜାର ହଜାର ଦକ୍ଷ ଭାରତୀୟ ଆଇଟି ଇଞ୍ଜିନିୟର ଆମେରିକାକୁ କାମ ପାଇ ଯାଉଥିଲେ ।
ଏହି ଘଟଣାଟି ଭାରତ-ଆମେରିକା ସମ୍ପର୍କରେ ଏକ ସୂକ୍ଷ୍ମ ଓ ସମ୍ବେଦନଶୀଳ ପର୍ଯ୍ୟାୟରେ ଘଟିଛି । ଯେଉଁଠାରେ ଟ୍ରମ୍ପଙ୍କ ସହଯୋଗୀମାନେ ସାର୍ବଜନୀନ ଭାବେ ପ୍ରଶ୍ନ କରୁଛନ୍ତି ଯେ, ଆମେରିକୀୟ କମ୍ପାନିମାନେ ଏପର୍ଯ୍ୟନ୍ତ କାହିଁକି ବିଦେଶୀ କର୍ମଚାରୀମାନଙ୍କ ଉପରେ ନିର୍ଭର କରୁଛନ୍ତି ।
ଯଦିଓ ଆମେରିକାର ଦକ୍ଷିଣପନ୍ଥୀ ଓ ରୁଢ଼ିବାଦୀ ଗୋଷ୍ଠୀମାନଙ୍କ ମଧ୍ୟରେ ଏଚ୍-୧ବି ଭିସାକୁ ନେଇ ବହୁ ପୂର୍ବରୁ ବିରୋଧ କରିଆସୁଛନ୍ତି । କିନ୍ତୁ ଗତ କିଛି ସପ୍ତାହ ମଧ୍ୟରେ ଏହି ବିରୋଧ ତୀବ୍ର ହେବାରେ ଲାଗିଛି ।