କନକ ବ୍ୟୁରୋ :  ଭଦ୍ରକ କଲେଇ କଣ୍ଟାପଡା ସାହିର ଗୁରୁ ଶ୍ରୀ ପ୍ରହ୍ଲାଦ ପାଣି । ବାଉଁଶ ଓ କାଠରେ ତିଆରି କରିଛନ୍ତି ସୁନ୍ଦର କଳାକୃତି ।  ଯିଏ କେହି ଦେଖିବ ଆଖି ଲାଖିଯିବ । ତାଙ୍କ ନିହଣ ମୁନ ଓ ଚିନ୍ତନରେ ସେ ତିଆରି କରିଛନ୍ତି ଅଜସ୍ର କଳାକୃତି । ଭଗବାନଙ୍କ ଦଶଅବତାର ମୂର୍ତ୍ତି, ଶ୍ରୀ କୃଷ୍ଣ, ଅନେକ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସହ ସ୍ବାମୀ ବିବେକାନନ୍ଦ, ଗୌତମ ବୁଦ୍ଧଙ୍କ ପ୍ରତିକୃତି ତିଆରି କରିଛନ୍ତି ଗୁରୁ ଶ୍ରୀ ପ୍ରହ୍ଲାଦ ପାଣି । ଏହା ସହ ସମାଜକୁ ବାର୍ତା ଦେବା ଭଳି ସେ ଅନେକ କଳାକୃତି ସେ ତିଆରି କରିଛନ୍ତି । ହଠାତ୍ ଯେ କେହି ଏହି ମୂର୍ତ୍ତିଗୁଡ଼ିକୁ ଦେଖିବ ମାର୍ବଲ କିମ୍ବା ପଥରରେ ତିଆରି ହୋଇଥିବା ଭାବିନେବ । ରଙ୍ଗତୁଳି ଓ ହାତର ସ୍ପର୍ଶରେ ନିର୍ମିତ କରିଥିବା ଏହି ସବୁ ଚିତ୍ରକଳାକୁ ଦେଖିଲେ କେହି ବିଶ୍ୱାସ କରି ପାରିବେନି ଏସବୁ ବାଉଁଶ ଆଉ କାଠରେ ନିର୍ମିତ ବୋଲି । ବୟସ ୮୨ ବର୍ଷ । ହେଲେ ଆଜି ବି ନିଜର କଳାକୁ ଜୀବିତ ରଖିଛନ୍ତି ଗୁରୁ ଶ୍ରୀ ପ୍ରହ୍ଲାଦ ପାଣି । ତାଙ୍କ ଠାରୁ ଅନେକ ଯୁବକ ଶିକ୍ଷା ଲାଭ କରି ପେଟପାଟଣା ପୋଷୁଛନ୍ତି । 

Advertisment

ପିଲାଦିନୁ ତାଙ୍କର ଏଭଳି କଳା ପାଇଁ ଲୋକଙ୍କ ହୃଦୟରେ ବେଶ ଆଦୃତ ହେଇପାରିଛନ୍ତି ଏହି ନିଆରା ମଣିଷ । ନିଶାମୁକ୍ତ ସମାଜ ଗଠନ ଓ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ପାଇଁ କାଠ, ବାଉଁଶ ଓ କାନଭାସରେ ସୁନ୍ଦର ଚିତ୍ରକଳା ତିଆରି କରିଛନ୍ତି ପ୍ରହ୍ଲାଦ । ସେହିପରି ନିଜର କଳା ମାଧ୍ୟମରେ ଇରମ ଗୁଳିକାଣ୍ଡ ଓ କରୋନା ସମୟରେ ସଚେତନତାର ବାର୍ତା ଦେଇଛନ୍ତି ଏହି ଚିତ୍ରଶିଳ୍ପୀ । ଅନେକ କବିତା ଗପ ଲେଖି ଜଣେ କବି ଭାବେ ବେଶ ପରିଚୟ ସୃଷ୍ଟି କରିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ନିଜର କଳାକୁ ନେଇ ପ୍ରଶଂସିତ ହୋଇଛନ୍ତି । ଗୁରୁ ଶ୍ରୀ ପ୍ରହ୍ଲାଦ ନିଜ ଗ୍ରାମରେ ଅନେକ ଯୁବକ ମାନଙ୍କୁ ନିଜର କଳା ବିଦ୍ୟାର ଶିକ୍ଷା ଦେଇ ରୋଜଗାରର ବାଟ ଦେଖାଇଛନ୍ତି । ନିଜସ୍ବ ଉଦ୍ୟମରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ନିଆରା ମଣିଷଙ୍କୁ ଏଯାଏଁ ସରକାରୀ ସହଯୋଗ ମିକିନାହିଁ କି ବାରମ୍ବାର ଦୌଡ଼ି ଦୌଡ଼ି ମିଳିପାରିନାହିଁ କଳାକାର ଭତ୍ତା ।

ତାଙ୍କ ଦ୍ୱାରା ନିର୍ମିତ ଏହି ସବୁ ସୁନ୍ଦର ମୂର୍ତ୍ତି ଆଉ ଚିତ୍ରକଳାକୁ ଜୀବିତ ରଖିବାକୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ତାଙ୍କ ପତ୍ନୀ ମାଳତୀଲତା ପାଣି । ସେହିପରି ସେ ତାଙ୍କ ବାପା ନାରାୟଣ ଚନ୍ଦ୍ରଙ୍କ ନାଁରେ ନିଜ ଘରେ ଏକ ମିଉଜିୟମ କରିଛନ୍ତି । ସରକାରୀ ସହଯୋଗ ମିଳିଲେ ସମଗ୍ର ରାଜ୍ୟରେ ନିଜର କଳାକୁ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରିପାରନ୍ତେ  ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା  ।