କନକ ବ୍ୟୁରୋ : ୨୦୦୮ ମସିହାରେ 'ରାମାୟଣ' ଧାରାବାହିକରେ ଶ୍ରୀରାମ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ଗୁରମୀତ ଚୌଧୁରୀ ଏବଂ ଅଭିନେତ୍ରୀ ଦେବୀନା ବାନାର୍ଜୀ । ଦର୍ଶକ ଏହି ଯୋଡ଼ିକୁ ଖୁବ୍ ଭଲ ପାଇବା ଦେଇଥିଲେ । ଏହି ଶୋ'ରୁ ଦେବୀନା ଏବଂ ଗୁରମୀତ ନିକଟତର ହୋଇ ବିବାହ କରିଥିଲେ । ବର୍ତ୍ତମାନ ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି । ସେମାନେ ନିକଟରେ ପରିବାର ସହିତ ମଥୁରା ଏବଂ ବୃନ୍ଦାବନ ବୁଲିବାକୁ ଯାଇଥିଲେ । ମନ୍ଦିର ଦର୍ଶନ କରିବା ବ୍ୟତୀତ ସେମାନେ ବୃନ୍ଦାବନରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ମଧ୍ୟ ଯାଇଥିଲେ ।
/filters:format(webp)/kanak/media/media_files/2025/08/10/debina-2025-08-10-13-36-09.jpg)
ଦେବୀନା ବାନାର୍ଜୀ ଶୁକ୍ରବାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଥୁରା ଏବଂ ବୃନ୍ଦାବନ ଯାତ୍ରାର କିଛି ଝଲକ ସେୟାର କରିଛନ୍ତି । ଏହା ସହିତ ସେ ନିଜର ଅନୁଭୂତି ବାଣ୍ଟି କହିଛନ୍ତି ଯେ ଏହି ଯାତ୍ରା ଅତ୍ୟନ୍ତ ଆନନ୍ଦଦାୟକ ଥିଲା । ଦେବୀନା କ୍ୟାପ୍ଦନରେ ଲେଖିଛନ୍ତି, 'ମଥୁରା ଆମକୁ ବହୁତ ଭଲ ପାଇବା ଏବଂ ଆଶୀର୍ବାଦ ଦେଇଛି ! ବୃନ୍ଦାବନ ହୋମ ଟାୱାର୍ସରେ ରହିବାଠାରୁ ଆରମ୍ଭ କରି ସେଠାରେ 'ହରେ ରାମ ହରେ କୃଷ୍ଣ'ର ମନ୍ତ୍ର ଶୁଣିବା ପର୍ଯ୍ୟନ୍ତ ଏହି ଯାତ୍ରା ବହୁତ ସ୍ୱତନ୍ତ୍ର ଥିଲା । ସବୁକିଛି ଶାନ୍ତିପୂର୍ଣ୍ଣ ଏବଂ ପ୍ରେମରେ ଭରପୂର ଥିଲା । ଆମେ ବହୁତ ଖୁସି ଯେ ଆମର ୨ ଟି ଛୁଆ ଧାର୍ମିକ ନଗରୀର ମନ୍ଦିର ଦର୍ଶନ କରିପାରିଲେ ଏବଂ ଆଧ୍ୟାତ୍ମିକ ଶକ୍ତି ଅନୁଭବ କରିପାରିଲେ । ଆମକୁ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ମଧ୍ୟ ଭେଟିବାର ସୁଯୋଗ ମିଳିଲା, ତାଙ୍କ କଥା ଆମ ହୃଦୟକୁ ଛୁଇଁଗଲା । ଏହି ସୁନ୍ଦର ଜୀବନ ପାଇଁ ଆମେ ପ୍ରକୃତରେ କୃତଜ୍ଞ ଅନୁଭବ କରୁଛୁ ।
ବୃନ୍ଦାବନ ଯାତ୍ରା ସମୟରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ଯାଇ ଗୁରମୀତ ନିଜର ଏବଂ ଦେବୀନାଙ୍କର ପରିଚୟ ଦେଇ କହିଥିଲେ 'ଆମେ ଦୁହେଁ ସର୍ବପ୍ରଥମେ ରାମ ଏବଂ ସୀତାଙ୍କ ଭୂମିକାରେ ଅଭିନୟ କରିଛୁ । ସେଠାରୁ ଲୋକଙ୍କ ବହୁତ ଭଲ ପାଇବା ମିଳିଛି । ଆପଣଙ୍କଠାରୁ କେବଳ ଏତିକି ଆଶୀର୍ବାଦ ଆଶା କରୁଛୁ ଯେ ଏହିପରି ଯାତ୍ରା ଆଗକୁ ବଢ଼ୁଥାଉ ।’ ଏହା ଉପରେ ପ୍ରେମାନନ୍ଦ ମହାରାଜ କହିଲେ, 'ଭଗବାନଙ୍କ ନାମ ସ୍ମରଣ କରୁଥା’ନ୍ତୁ । ଏହାଦ୍ୱାରା ଆହୁରି ଉନ୍ନତି ହେବାର ସମ୍ଭାବନା ଅଛି । ଲଗାତାର ନାମ ଜପ କରନ୍ତୁ । ଭଗବାନଙ୍କ ନାମରେ ଅପାର ଶକ୍ତି ଅଛି । ଆପଣଙ୍କୁ ରାମ ଭଗବାନଙ୍କ ଅଭିନୟ କରିବାର ସୌଭାଗ୍ୟ ମିଳିଛି, ତାଙ୍କରି ନାମ ସ୍ମରଣ କରନ୍ତୁ ।’ ବୃନ୍ଦାବନରେ ଏହି କଳାକାର ଦମ୍ପତି ମନ୍ଦିର ଦର୍ଶନ କରିଥିଲେ । ଏହା ବ୍ୟତୀତ ସେମାନେ ଗୋଶାଳା ମଧ୍ୟ ଯାଇଥିଲେ, ଯେଉଁଠାରେ ଗୋସେବା କରିଥିଲେ । କହିବାକୁ ଗଲେ ଦେବୀନା ଏବଂ ଗୁରମୀତ ବର୍ତ୍ତମାନ ରିଆଲିଟି ଶୋ' 'ପତି-ପତ୍ନୀ ଔର ପଙ୍ଗା'ରେ ନଜର ଆସୁଛନ୍ତି । ଦେବୀନା ବହୁତ ଦିନ ଧରି ଇଣ୍ଡଷ୍ଟ୍ରିଠାରୁ ଦୂରରେ ଥିଲେ । କିନ୍ତୁ ଏହି ଶୋ' ମାଧ୍ୟମରେ ସେ ପୁଣି ଥରେ ଫେରିଛନ୍ତି ।