କନକ ବ୍ୟୁରୋ: ଗୁଣୁପୁର ଉପଖଣ୍ଡ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ବଡ଼ ନାଳ ଜଳସେଚନ ପ୍ରକଳ୍ପର ପରିଚାଳନା କରାଯାଇଥିଲା । ଦିନେ ଏହି ପ୍ରକଳ୍ପ ଚାଷୀଙ୍କୁ ଉଭୟ ଖରିଫ ଓ ରବି ଋତୁର ଚାଷ ପାଇଁ ଜଳ ଯୋଗାଉଥିଲା । ହେଲେ ଧୀରେଧୀରେ ଶୁଖିଗଲାଣି ଏହି ଜଳଭଣ୍ଡାର। ଏହି ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଚାଷୀ ଏବେ ହତାଶ ହୋଇପଡ଼ିଛି ।
ଚାଷୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିଲା ବଡ଼ନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ । ୧୯୯୭ରେ ଗୁଣୁପୁର ପଦ୍ମପୁର ବ୍ଲକ କେନ୍ଦୁଗୁଡ଼ାଠାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଥିଲେ । ଏହି ଜଳ ଭଣ୍ଡାରର ଜଳଧାରଣ କ୍ଷମତା ଥିଲା ୬୭୧୪ ହେକ୍ଟର ମିଟର । ହେଲେ ଏବେ ଏହା ଶୁଖିଗଲାଣି । ବର୍ତ୍ତମାନ ବଡ଼ନାଳ ଜଳଭଣ୍ଡାରରେ ମାତ୍ର ୮୦୭ ହେକ୍ଟର ମିଟର ଜଳ ଗଚ୍ଛିତ ରହିଛି । ହେଲେ ଜଳାଭାବ ଯୋଗୁଁ ଗତ ୨ ବର୍ଷ ହେଲା ରବି ଚାଷ ପାଇଁ ଜଳ ଯୋଗାଣ ହୋଇପାରୁନାହିଁ । ଫଳରେ ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ୁଥିବା ଅଭିଯୋଗ କରିଛି ଚାଷୀ ।
ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଏବଂ ଜଳଭଣ୍ଡାରକୁ ବିଭିନ୍ନ କ୍ୟାଚ୍ମେଣ୍ଟ ଜାଗାରୁ ଆସୁଥିବା ଜଳକୁ ଠିକ୍ ଭାବେ ପରିଚାଳନା କରାଯାଉନଥିବାରୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ କ୍ୟାଚ୍ମେଣ୍ଟ ଜାଗାରେ ବର୍ଷା ହେଲେ ସ୍ଥିତିର ସୁଧାର ଆସିବ ବୋଲି କହିଛନ୍ତି ହରଭଙ୍ଗୀ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ।
ଏହି ଜଳଭଣ୍ଡାର ଦ୍ବାରା ଖରିଫ ଋତୁରେ ୯୮୭୪ ହେକ୍ଟର ଜମି ଓ ରବି ଋତୁରେ ୪୯୫୦ ହେକ୍ଟର ଜମିକୁ ଜଳସେଚିତ କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଏହା ଦ୍ବାରା ଗୁଣୁପୁର, ପଦ୍ମପୁର, ରାମାନଗୁଡା ଓ ଗୁଡ଼ାରି ବ୍ଲକ ଅଞ୍ଚଳର ଚାଷୀ ଉପକୃତ ହୋଇଥାନ୍ତେ । ତେଣୁ ଏହି ପ୍ରକଳ୍ପର ପୁନରୁଦ୍ଧାର ସହ ନଦୀ ସଂଯୋଗୀକରଣ ବ୍ୟବସ୍ଥା ପାଇଁ ଦାବି ହୋଇଛି ।