କନକ ବ୍ୟୁରୋ: ରାଜଧାନୀରେ ରାତିରେ ଫୁଟିଲା ଗୁଳି। ବିଳମ୍ବିତ ରାତିରେ ବାଲିପାଟଣା ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ । ଦୁଇ ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ଦୀପ୍ତିରଞ୍ଜନ ମହାପାତ୍ର ନାମକ ଜଣେ ଯୁବକଙ୍କ କାନ୍ଧ ପାଖରେ ଗୁଳି ବାଜିଛି। ଗୁଳିବିଦ୍ଧ ଅବସ୍ଥାରେ ଦୀପ୍ତିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଲିପାଟଣା ପୋଲିସ୍ ହିଁ ଆହତଙ୍କୁ ହସ୍ପିଟାଲକୁ ଆଣିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ।

Advertisment

ଦୀପ୍ତିରଞ୍ଜନ ବାଲିପାଟଣାସ୍ଥିତ ନିଜ ଭଉଣୀ ଘରକୁ ଯାଇଥିଲେ । ରାତିରେ ସେ ପିଣ୍ଡାରେ ବସିଥିବା ବେଳେ ଦୁଇ ଜଣ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ନିକଟରେ ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତିଜଣକ ଏକ ମାମଲାରେ ଜେଲ୍ ଯାଇ ଜାମିନରେ ଆସିଛନ୍ତି । ତେଣୁ ଏହି ଘଟଣା ସହ ଗୁଳିକାଣ୍ଡର କିଛି ସମ୍ପର୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।