କନକ ବ୍ୟୁରୋ : ମୋଷ୍ଟ୍ ୱାଣ୍ଟେଡ୍ ଦିଲ୍ଲୀପ ବିହାରୀ ଓରଫ ଦିଲ୍ଲୀପ ଶାହକୁ ସ୍ପେଶାଲ୍ ଟାସ୍କ ଫୋର୍ସ ଗିରଫ ପରେ ସାମ୍ନାକୁ ଆସିଛି ଡନର ଲିଙ୍କ୍ । ଦିଲ୍ଲୀପ ହେଉଛି STF ହାତରେ ଗିରଫ ହୋଇଥିବା ଡନ୍ ଅସଲାମର ଡାହାଣ ହାତ । ଡନ୍ ଜେଲରେ ରହି ବି କେମିତି ଚଳାଇଥିଲା ନେଟୱର୍କ ସେ ବାବଦରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ । ୭୦ ହଜାରରେ ସେଭେନ୍‌ ଏମ୍‌ଏମ୍‌ । ନାଇନ୍‌ ଏମ୍‌ଏମ୍‌ର ଦାମ୍‌ ୯୦ ହଜାର । ବେଫିକର ବନ୍ଧୁକ ବେପାରର ହବ୍ ପାଲଟିଛି ଓଡ଼ିଶା । ବିହାର ଓ ୟୁପିରୁ ବନ୍ଧୁକ ଆସି ଫୁଟିବା ଭଳି ବେପାର ଚାଲିଛି । ଗୋଟାକ ୭୦ ହଜାର । ଯୋଡ଼ା ନେଲେ ୧୦ ହଜାର ଡିସ୍‌କାଉଣ୍ଟ । କିଏ ଗ୍ୟାଙ୍ଗଷ୍ଟର୍ ହେବା ପାଇଁ ମେସିନ୍ ଅଣ୍ଟାରେ ଖୋସି ବୁଲୁଛି ତ ଆଉ କିଏ କ୍ରାଇମ୍ ସିଣ୍ଡିକେଟ୍ ଚଳାଇବା ପାଇଁ ଗାଡ଼ି ଡାସବୋର୍ଡରେ ପିସ୍ତଲ ରଖି ବୁଲୁଛି ।

Advertisment

୧୩ ଜୁନରେ ୟୁପି ବନ୍ଧୁକ ମାଫିଆ ରାଜଧାନୀରେ ଡେରା ପକାଇଥିବା ବେଳେ ସେମାନଙ୍କ ଠାରୁ ୬ଟି ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ଜବତ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ଗତ ୨୫ ମେରେ ଡନ୍ ମହମ୍ମଦ ଅସଲାମକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବା ବେଳେ STF ହାତରେ ଲାଗିଥିଲା ସାଙ୍ଘାତିକ ତଥ୍ୟ । ୫ ରାଜ୍ୟର ପୁଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ୍ ଥିବା ଅସଲାମ ଓଡ଼ିଶାର ୭ ସହରରେ ବିକ୍ରି କରିଥିଲା ବନ୍ଧୁକ । ପଶ୍ଚିମବଙ୍ଗ, ବିହାର ଓ ୟୁପିରେ ଚଳାଇଥିଲା ବନ୍ଧୁକ କାରବାର । ଗଞ୍ଜାମରୁ ମିଳିଥିବା ୩୧ ବନ୍ଧୁକ ପଛରେ ଥିଲା ତା’ରି ହାତ । ସେହିପରି ବୟାଳିଶି ମୌଜା ବନ୍ଧୁକ କାରଖାନା ଲିଙ୍କରେ ଅସଲାମ ଥିବା ଜଣାପଡ଼ିବା ପରେ ଏବେ ଚାଲିଛି ଅଧିକ ଛାନଭିନ । ଦିଲ୍ଲୀପ ଶାହ ସହ ଅସଲାମ ଆର୍ଥିକ କାରବାର କରିଛି । ରାଜ୍ୟ ବାହାରୁ ବନ୍ଧୁକ ମାଫିଆଙ୍କୁ ଓଡ଼ିଶା ଆଣି କିଏ ଦେଉଛି ପ୍ରଶ୍ରୟ ? ଏସବୁକୁ ନେଇ ଅଧିକ ଖୋଳତାଡ଼ କରୁଛି STF । ଗତ ୩ ମାସ ଭିତରେ କେବଳ ଏସ୍‌ଟିଏଫ୍‌କୁ ମିଳିଛି ୩୬ ବନ୍ଧୁକ । ଗଞ୍ଜାମରୁ ୨୦ ଟି, ବ୍ରହ୍ମପୁରରୁ ୪ଟି, ପୁରୀରୁ ୮ଟି ବନ୍ଧୁକ ଜବତ ହୋଇଛି । ତଦନ୍ତରୁ ଜଣାପଡ଼ିଛି ଏସବୁ ବନ୍ଧୁକ ବୟାଳିଶି ମୌଜାରୁ ଯାଇ ବିହାରରେ ତିଆରି ହୋଇଛି ।