କନକ ବ୍ୟୁରୋ : ଲକ୍ଷ୍ନୌଠାରେ ଖେଳାଯାଇଥିବା ଆଇପିଏଲ୍ ୨୦୨୫ର ୭୦ତମ ତଥା ଶେଷ ଲିଗ୍ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୬ ୱିକେଟ୍ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୨୮ ରନର ଲକ୍ଷ୍ୟକୁ ବେଙ୍ଗାଲୁରୁ ୧୮.୪ ଓଭରରେ ୨୩୦ ରନ୍ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ବିରାଟ କୋହଲି ୫୪ ରନ୍ କରିଥିବାବେଳେ ଜିତେଶ ଶର୍ମା ୮୫ ରନ୍ ଓ ମୟଙ୍କ ଅଗ୍ରୱାଲ ୪୧ ରନ୍ କରିଥିଲେ । ଆରସିବିର ବିଜୟ ସହ ଆଇପିଏଲର ପ୍ଲେଅଫ୍ ରାଉଣ୍ଡ୍ ନିଶ୍ଚିତ ହୋଇଯାଇଛି । ପ୍ରଥମ କ୍ବାଲିଫାୟରରେ ଆରସିବିକୁ ୨୯ ତାରିଖରେ ଭେଟିବ ପଞ୍ଜାବ । ସେହିପରି ଏଲିମିନେଟରରେ ମେ' ୩୦ରେ ମୁମ୍ବାଇକୁ ଭେଟିବ ଗୁଜରାଟ ।
ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ପକ୍ଷରୁ ମିଚେଲ ମାର୍ସ ଓ ମାଥ୍ୟୁ ବ୍ରିଜକେ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ । ତେବେ ବ୍ରିଜକେ ମାତ୍ର ୧୪ ରନ୍ କରି ଆଉଟ୍ ହେବା ପରେ ଅଧିନାୟକ ଋଷଭ ପନ୍ତ ଓ ମାର୍ସଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ବିଶେଷକରି ପନ୍ତଙ୍କ ପୁରୁଣା ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୬୧ ବଲରେ ଅପରାଜିତ ୧୧୮ ରନ୍ କରିଥିଲେ । ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଥିଲେ, ମାର୍ସ ୬୭ ରନ୍ କରିଥିଲେ । ନିକୋଲାସ ପୁରନ ୧୩ ରନ୍ କରିଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୨୨୭ ରନ୍ କରିଥିଲା । ଆରସିବି ପକ୍ଷରୁ ଭୁବନେଶ୍ବର କୁମାର, ନୁୱାନ ତୁଷାରା ଓ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଆରସିବିର ବିଜୟ ସହ ଆଇପିଏଲର ପ୍ଲେଅଫ୍ ରାଉଣ୍ଡ୍ ନିଶ୍ଚିତ ହୋଇଯାଇଛି । ପ୍ରଥମ କ୍ବାଲିଫାୟରରେ ଆରସିବିକୁ ୨୯ ତାରିଖରେ ଭେଟିବ ପଂଜାବ । ସେହିପରି ଏଲିମିନେଟରରେ ମେ ୩୦ରେ ମୁମ୍ବାଇକୁ ଭେଟିବ ଗୁଜରାଟ ।