କନକ ବ୍ୟୁରୋ: ଗୁଜରାଟ ହାଇକୋର୍ଟରୁ ଆଶାରାମଙ୍କୁ ପୁଣି ଆଶ୍ୱସ୍ତି।  ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ ଗୁଜରାଟ ହାଇକୋର୍ଟରୁ ପୁଣି ଥରେ ଆଶ୍ୱସ୍ତି ମିଳିଛି ।   କୋର୍ଟ ତାଙ୍କର ଅନ୍ତରୀଣ ଜାମିନ ଅବଧିକୁ ତୃତୀୟ ଥର ପାଇଁ ବୃଦ୍ଧି କରି ଅଗଷ୍ଟ ୨୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।   ସ୍ୱାସ୍ଥ୍ୟଗତ କାରଣରୁ ଆଶାରାମଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି ।

Advertisment

ସୂଚନାଯୋଗ୍ୟ, ୮୬ ବର୍ଷୀୟ ଆଶାରାମ ୨୦୧୩ ମସିହାରେ ଗାନ୍ଧିନଗରର ମୋଟେରା ସ୍ଥିତ ଆଶ୍ରମରେ ଜଣେ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।   ଗାନ୍ଧିନଗରର ଏକ ସେସନ୍ସ କୋର୍ଟ ୨୦୨୩ ମସିହା ଜାନୁଆରୀ ମାସରେ ଏହି ରାୟ ଶୁଣାଇଥିଲେ ।  

ଏହା ପୂର୍ବରୁ, ଆଶାରାମଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରଥମେ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ମିଳିଥିଲା ।   ପରେ ଗୁଜରାଟ ହାଇକୋର୍ଟ ତାଙ୍କ ଜାମିନ ଅବଧିକୁ ମାର୍ଚ୍ଚ ୨୮ରୁ ତିନି ମାସ ପାଇଁ ବଢ଼ାଇଥିଲେ ।  ଏହି ଅବଧି ଶେଷ ହେବା ପରେ ଜୁଲାଇ ୩ରେ କୋର୍ଟ ଏହାକୁ ପୁଣି ଏକ ମାସ ପାଇଁ ବୃଦ୍ଧି କରିଥିଲେ ଏବଂ ଏହା "ଶେଷ ବୃଦ୍ଧି" ବୋଲି କହିଥିଲେ ।  ତେବେ, ଆଶାରାମଙ୍କ ଗୁରୁତର ସ୍ୱାସ୍ଥ୍ୟବସ୍ଥା ଏବଂ ସେ ଇନ୍ଦୋରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଦର୍ଶାଇ କୋର୍ଟ ପୁଣି ଥରେ ଜାମିନ ଅବଧିକୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।