କନକ ବ୍ୟୁରୋ : ଗୁଜରାଟ ସରକାରରେ ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି । ଗତକାଲି ଏକ ଘଟଣାକ୍ରମରେ ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମଣ୍ଡଳରେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ବାକି ୧୬ ଜଣ ଯାକ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଏହାପରେ ରାଜ୍ୟ ସରକାର ଘୋଷଣା କରିଥିଲେ କି, ଶୁକ୍ରବାର ଦିନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବ । 

Advertisment

ଏହା ଭିତରେ ସବୁଠାରୁ ରୋଚକ କଥା ହେଉଛି ପ୍ରଥମଥର ଗୁଜରାଟ ବିଧାନସଭାକୁ ନିର୍ବାଚିତ ହୋଇଥିବା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ହୋଇଛି । ଭୂପେନ୍ଦ୍ର ପଟେଲଙ୍କ  ମନ୍ତ୍ରୀମଣ୍ଡଳରେ ୨୨ ରୁ ୨୩ ଜଣଙ୍କୁ ସ୍ଥାନ ମିଳିପାରେ । ସୂତ୍ର ସୂଚନା ମୁତାବକ ପୁରୁଣା ମନ୍ତ୍ରୀମଣ୍ଡଳରୁ ୫ ଜଣଙ୍କୁ ପୁଣି ସାମିଲ କରାଯାଇପାରେ । ଆଜି ଶପଥଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସାମିଲ ହୋଇଛନ୍ତି ।  

ଗୁଜରାଟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ମୋଟ ୧୭ ଜଣ ମନ୍ତ୍ରୀ ଥିଲେ । ୮ ଜଣ କ୍ୟାବିନେଟ୍ ସ୍ତରର ମନ୍ତ୍ରୀ ଥିଲେ ଓ ବାକି ରାଜ୍ୟପାହ୍ୟା ମନ୍ତ୍ରୀ ଥିଲେ । ମୋଟ ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୧୫ ପ୍ରତିଶତ ଅର୍ଥାତ ୨୭ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ରହିଛି । 

ଏଭଳି ବଡ଼ ପରିବର୍ତ୍ତନରେ ବିଶେଷ କରି ଜାତୀୟ ଓ ସ୍ଥାନୀୟ ସନ୍ତୁଳନକୁ ଧ୍ୟାନରେ ରଖି କରାଯାଇଛି । ବିଭିନ୍ନ ଅଞ୍ଚଳରେ କ୍ୟାବିନେଟ ଓ ରାଜ୍ୟମନ୍ତ୍ରୀଙ୍କ ଚୟନ ଶ୍ରେଣୀବଦ୍ଧ ତରିକାରେ ହେବ । ସେପଟେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିଛି ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ । 

ଏବେ ଏବେ ଆସିଥିବା ମନ୍ତ୍ରୀ ତାଲିକା ମୁତାବକ ଜିତୁଭାଇ ବାଘାନି, ଅର୍ଜୁନ ମେଘବାଡ଼ିଅ. ପ୍ରଦ୍ୟୁମ୍ନ ବାଜା, ନରେଶ ପଟେଲ, ରିବାବା ଜାଡେଜା, ପ୍ରବୀଣ ମାଲି, କାନ୍ତିଭାଇ ଅମୃତିଆ, ଦର୍ଶନ ବାଘେଲ, କୌଶିକ ବକରିଆ, ରମେଶ କଟାରା ଓ ତ୍ରିକମ୍ ଛାଙ୍ଗା ଶପଥ ନେବେ । 

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ସାଂସଦ ମୟଁକ ନାୟକ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଗୁଜରାଟ ସରକାର ଜନତାଙ୍କ ପାଇଁ କାମ କରୁଛି । ଏବେ ମନ୍ତ୍ରୀମଣ୍ଡଳ ସମ୍ପୂର୍ଣ୍ଣ ହେବାକୁ ଯାଉଛି, ଯାହା କି ଜନତାଙ୍କ ବିକାଶ ପାଇଁ । ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ଏହାକୁ ଏକ ପ୍ରସଙ୍ଗ କରି ସମାଲୋଚନା କରୁଛନ୍ତି । ଆମ ବିଧାୟକଙ୍କ ମଧ୍ୟରେ କୌଣସି ଅସନ୍ତୁଷ ନଥିବା କଥା ସେ କହିଛନ୍ତି ।