କନକ ବ୍ୟୁରୋ : ଦୀପାବଳି ପାଇଁ ଆସିଲା ଗାଇଡଲାଇନ । ଜାରି କଲା କମିଶନରେଟ ପୋଲିସ । ସୁପ୍ରିମକୋର୍ଟ ର ନିୟମ ଅନୁଯାୟୀ ବାଣ ଫୁଟାଯିବ କିନ୍ତୁ ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ପାଇଁ ବାରଣ କରାଯାଇଛି । କେବଳ ଗ୍ରୀନ କ୍ରାକର ବିକ୍ରି ପାଇଁ କୁହାଯାଇଛି । ବାଣ ବିକ୍ରୟ କରିବା ପାଇଁ ୨୫ ଟି ସ୍ଥାନରେ ବିଏମସି ସହମତିରେ ବାଣ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଲାଇସେନ୍ସ ପାଇଁ ଏଯାବତ ୪୬୫ ଜଣ ଦୋକାନୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୨ ଶହ ଜଣଙ୍କୁ ଲାଇସେନ୍ସ ପ୍ରଦାନ ସରିଲାଣି । ଅନ୍ୟମାନଙ୍କୁ ବର୍ତ୍ତମାନ ବିଭିନ୍ନ ସର୍ତ୍ତ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ ସବୁ ସର୍ତ୍ତ ପାଳନ ପରେ ତାଙ୍କୁ ମଧ୍ୟ ଲାଇସେନ୍ସ ପ୍ରଦାନ କରାଯିବ ।
ଲାଇସେନ୍ସ ମୁତାବକ ପ୍ରତ୍ୟେକ ଦୋକାନରେ ୩ ଶହ କେଜି ବାଣ ଜଣେ ଦୋକାନୀ ରଖିପାରିବେ । ଦୁଇଟି ବାଣ ଦୋକାନ ମଝିରେ ୩ ମିଟର ବ୍ୟବଧାନ ରହିବ । ଦୋକାନ ବାହାରେ ୫୦ ମିଟର ଖାଲି ସ୍ଥାନ ରହିବ । ଦୋକାନ ଚାରିପଟରେ ଟିଣର ଆବଧ କରାଯିବା ସହ ନିଆଁ ଲିଭା ଯନ୍ତ୍ର , ଓଦା ଅଖା , ବାଲି ଓ ଭର୍ତି ଡ୍ରମ ରଖାଯିବ I ପୁଲିସର ସ୍ୱତନ୍ତ୍ର ଟିମ ଏହା ଉପରେ ନଜର ରଖିବେ I ଅଗ୍ନିଶମ ବିଭାଗ ଓ ବିଏମସି ର ସମସ୍ତ ନିୟମ ପାଳନ କରିବାକୁ ଦୋକାନୀ ବାଧ୍ୟ । କୌଣସି ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜଧାନୀ ଉପକଣ୍ଠରେ ବାଣ ତିଆରି ଚାଲିଥିବା ବେଳେ ଚଢ଼ାଉ ହୋଇଛି । ବେଆଇନ ଭାବେ ଗନ୍ ପାଉଡର ଆଣି ବାଣ ତିଆରି କଲେ ବାଣ ସିଜ୍ କରିବା ସହ ସମ୍ପୃକ୍ତ ବାଣୁଆଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।