କନକ ବ୍ୟୁରୋ : ଗୁଟଖା, ସିଗାରେଟ ଭଳି ଟବାକୋ ଦ୍ରବ୍ୟ ଉପରେ ବଢିବ ଜିଏସଟି। ଏବେ ଟବାକୋ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ସହ ସେସ, ଅତିରିକ୍ତ ବାଧ୍ୟତାମୁଳକ କରକୁ ମିଶାଇ ମୋଟ ୫୩ ପ୍ରତିଶତ କର ଆଦାୟ କରାଯାଉଛି। ସରକାର ଏଥିରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୭୨ ହଜାର ୭୮୮ କୋଟି ଟଙ୍କା ଆୟ କରିଛନ୍ତି । ଏହା ପରେ ବି ଗୁଟଖା, ସିଗାରେଟ ଉପରେ ଜିଏସଟି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଟବାକୋ ପ୍ରଡକ୍ଟ ଉପରେ ଜିଏସଟି ୨୮ ପ୍ରତିଶତରୁ ବୃଦ୍ଧି କରି ୪୦ ପ୍ରତିଶତ କରିବାକୁ ପ୍ରସ୍ତାବ ଆସିଛି।
ଏହା ଛଡା ପୂର୍ବ ଭଳି ସେସ୍ ଏବଂ ବାଧ୍ୟତାମୂଳକ ଟାକ୍ସ ଲାଗୁ କରାଗଲେ ମୋଟ କର ୬୫ ପ୍ରତିଶତ ଛୁଇଁବ। କିନ୍ତୁ ଏହା ପରେବି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଟାକ୍ସଠୁ କମ। ଡବ୍ଲୁଏଚଓ ଟବାକୋ ସାମଗ୍ରୀ ଉପରେ ୭୫ ପ୍ରତିଶତ ଟାକ୍ସ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ଆଗାମୀ ଜିଏସଟି କାଉଁନସିଲ ବୈଠକରେ ଏହା ଉପରେ ନିର୍ଣ୍ଣାୟକ ନିଷ୍ପତ୍ତି ହେବ। ଆସନ୍ତା ୨୦୨୬ରେ ନୂଆ ଟାକ୍ସ ଲାଗୁ ହେବ ବୋଲି ସୁଚନା ମଳିଛି।