କନକ ବ୍ୟୁରୋ : ସରକାର ଜିଏସଟି ସ୍ଲାବର ପରିବର୍ତ୍ତନ କରିବା କ୍ରମରେ ତମାଖୁ ଉତ୍ପାଦ ଉପରେ ଟ୍ୟାକ୍ସକୁ ୨୮ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ସିଗାରେଟ, ଗୁଟଖା, ପାନ ମସଲା ଭଳି ତମାଖୁ ଜାତୀୟ ଉତ୍ପାଦ ଏହି କାଟାଗୋରୀରେ ଅନ୍ତର୍ଭୁକ୍ତ । ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ବିଡ଼ି ଉପରେ ପୂର୍ବରୁ ଥିବା ୨୮ ପ୍ରତିଶତ ଟ୍ୟାକ୍ସକୁ କମାଇ ସରକାର ୧୮ ପ୍ରତିଶତ କରିଛନ୍ତି । ସେହିଭଳି ବିଡ଼ି ପ୍ରସ୍ତୁତରେ ଲାଗୁଥିବା କେନ୍ଦୁପତ୍ର ଉପରୁ ମଧ୍ୟ ୧୮ ପ୍ରତିଶତ ଟ୍ୟାକ୍ସ କମାଇ ୫ ପ୍ରତିଶତ କରିଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ବିଡ଼ିକୁ ଅନ୍ୟ ତମାଖୁ ଉତ୍ପାଦ ତୁଳନାରେ ଏତେ କର ଛାଡ଼ କାହିଁକି କରାଗଲା ।
ସରକାର ଘୋଷଣା କରିଛନ୍ତି କି, ପାନ ମସଲା, ଗୁଟଖା, ସିଗାରେଟ ଜର୍ଦ୍ଦା ଭଳି କ୍ଷତିକାରକ ଉତ୍ପାଦ ଉପରେ ୪୦ ପ୍ରତିଶତ ଜିଏସଟି ଲଗାଇଛନ୍ତି । ଏହି ଦାମ୍ ଫ୍ୟାକ୍ଟ୍ରି ପ୍ରାଇସ ବଦଳରେ ରିଟେଲ ଦାମରେ ଲାଗଯିବ । ଅର୍ଥାତ ଯେତିକି ଦାମ ଦେଇ ଆପଣ ତମାଖୁ ଉତ୍ପାଦ କିଣିବେ ତା ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ ।
ସେପଟେ ପଶ୍ଚିମବଙ୍ଗ ଭଳି କିଛି ରାଜ୍ୟରେ ବିଡ଼ି ଶ୍ରମିକଙ୍କୁ କମ୍ ପାରିଶ୍ରାମିକ ମିଳିଥାଏ । କିଛି ସ୍ଥାନରେ ୧ ହଜାର ବିଡି ପ୍ରସ୍ତୁତ କଲେ ମାତ୍ର ୧୫୦ ଟଙ୍କା ପାରିଶ୍ରାମିକ ମିଳିଥାଏ । ଜଣେ ବ୍ୟକ୍ତି ଦୈନିକ ୪ ଶହ ରୁ ୭ ଶହ ବିଡ଼ି ପ୍ରସ୍ତୁତ କରିଥାଲ । ଏହାକୁ ଦେଖିଲେ ଜଣେ ବିଡ଼ି ଶ୍ରମିକ ଦୈନିକ ସର୍ବାଧିକ ୧୦୦ ଟଙ୍କା ରୋଜଗାର କରିବା କଷ୍ଟକର । କୁହାଯାଉଛି କି, ଏଭଳି ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ସରକାର ବିଡ଼ି ଉପରେ ଜିଏସଟି କମ୍ କରିଛନ୍ତି ।