କନକବ୍ୟୁରୋ : ଜିଏସ୍ଟି ସଂସ୍କାର ଦ୍ବାରା ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହେବେ ନାହିଁ, ବରଂ ଲାଭବାନ ହେବେ । ସେମାନେ ପୂର୍ବରୁ ଯେତିକି ରାଜସ୍ବ ପାଉଥିଲେ, ତା’ଠାରୁ ଅଧିକ ସଂଗ୍ରହ କରିବେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । ଏସ୍ବିଆଇ ଇକୋରାପ୍ ରିପୋର୍ଟ କହୁଛି ଯେ ଜିଏସ୍ଟି ସଂସ୍କାର ଦ୍ବାରା ଓଡ଼ିଶାକୁ ୧୮,୭୫୧ କୋଟି ଟଙ୍କା ଲାଭ ମିଳିବ ।
୨୦୨୫-୨୬ରେ ଓଡ଼ିଶା ୨୬,୫୫୨ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ସଂସ୍କାର ପ୍ରଭାବରେ ସେହି ରାଶି ୪୫,୩୦୨ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ରିପୋର୍ଟ ଦାବି କରିଛି। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ସବୁ ରାଜ୍ୟ ମଧ୍ୟ ଜିଏସ୍ଟି ସଂସ୍କାର ଦ୍ବାରା ଉପକୃତ ହେବେ। ଉତ୍ତରପ୍ରଦେଶକୁ ସର୍ବାଧିକ ୭୪,୨୭୮ କୋଟି ଟଙ୍କା ଏବଂ ବିହାରକୁ ଦ୍ବିତୀୟ ସର୍ବାଧିକ ୪୧,୬୫୧ କୋଟି ଟଙ୍କା ଲାଭ ମିଳିବ ବୋଲି ଆକଳନ କରାଯାଇଛି।
ଜିଏସ୍ଟି ହାର ହ୍ରାସ ପାଇବା ସତ୍ତ୍ବେ କାହିଁକି ରାଜ୍ୟଗୁଡ଼ିକ କ୍ଷତି ସହିବେ ନାହିଁ, ତାହାର କାରଣରେ ଷ୍ଟେଟ୍ ବ୍ୟାଙ୍କ ଜଣାଇଛି ଯେ ସଂଗୃହୀତ ରାଜସ୍ବକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସମାନ ଭାବେ ବାଣ୍ଟି ନେଉଛନ୍ତି। ଦ୍ବିତୀୟତଃ, ଅର୍ଥ ଆୟୋଗଙ୍କ ସୁପାରିସ୍କ୍ରମେ କେନ୍ଦ୍ରୀୟ ଟିକସରୁ ରାଜ୍ୟଗୁଡ଼ିକ ୪୧ ପ୍ରତିଶତ ରାଶି ପାଉଛନ୍ତି।
ସେହି ହିସାବ ଅନୁସାରେ, ପ୍ରତି ୧୦୦ ଟଙ୍କାର ଜିଏସ୍ଟିରୁ ରାଜ୍ୟଗୁଡ଼ିକ ୭୦ ଟଙ୍କା ୫୦ ପଇସା ପାଉଥିବା ରିପୋର୍ଟ କହୁଛି। ପ୍ରକାଶିତ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ୨୦୨୫-୨୬ରେ ରାଜ୍ୟଗୁଡ଼ିକ ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି) ଭାବେ ଅତିକମ୍ରେ ୧୦ ଲକ୍ଷ କୋଟି ଟଙ୍କା ପାଇବେ। ଏହା ବ୍ୟତୀତ କେନ୍ଦ୍ରୀୟ ଟିକସରେ ନିଜର ଭାଗ ବାବଦରେ ୪.୧ ଲକ୍ଷ କୋଟି ଟଙ୍କା ପାଇବେ। ଯଦି ପ୍ରଭାବୀ ଜିଏସ୍ଟି ହାର ୯.୫ ପ୍ରତିଶତ ହେବ, ତେବେ ରାଜସ୍ବ ସଂଗ୍ରହ ୫୨ ହଜାର କୋଟି ଟଙ୍କା ବଢ଼ିବ। ୫୦:୫୦ ଅନୁପାତରେ ଟିକସ ଭାଗବଣ୍ଟା ହେଲେ ରାଜ୍ୟମାନଙ୍କୁ ଅଧିକ ୨୬ ହଜାର କୋଟି ଟଙ୍କା ଓ କେନ୍ଦ୍ରକୁ ୨୬ହଜାର କୋଟି ଟଙ୍କା ମିଳିବ।
ଷ୍ଟେଟ୍ ବ୍ୟାଙ୍କ ଏହା ମଧ୍ୟ ଜଣାଇଛି ଯେ ଅତୀତରେ ୨୦୧୮ ଜୁଲାଇ ଓ ୨୦୧୯ ଅକ୍ଟୋବରରେ ଜିଏସ୍ଟିରେ ସରଳୀକରଣ କରାଯାଇଥିବା ବେଳେ ରାଜ୍ୟଗୁଡ଼ିକର ରାଜସ୍ବହାନି ହୋଇନଥିଲା। ତେବେ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ ଟିକସ ହ୍ରାସର ପରବର୍ତ୍ତୀ କିଛି ମାସ ଅଳ୍ପ କିଛିଟା ପ୍ରଭାବ ପଡ଼ିପାରେ।
ଯଦି ମାସିକ ସଂଗ୍ରହ ୩-୪ ପ୍ରତିଶତ ହ୍ରାସ ପାଇବ ତେବେ ରାଜ୍ୟଗୁଡ଼ିକ ମାସକୁ ୫୦୦୦ କୋଟି ଟଙ୍କା ହିସାବରେ ବର୍ଷକୁ ୬୦ ହଜାର କୋଟି ଟଙ୍କା ହରାଇବେ। କିନ୍ତୁ ଯେତେବେଳେ ରାଜସ୍ବ ସଂଗ୍ରହ ୫-୬ ପ୍ରତିଶତ ହାରରେ ବଢ଼ିବ, ସମସ୍ତ କ୍ଷତି ଭରଣା ହୋଇଯିବ। ଉଲ୍ଲେଖଥାଉକି, ୨୦୧୭ ଜୁଲାଇ ୧ରେ ଜିଏସ୍ଟି ଲାଗୁ ହେବା ବେଳେ ରାଜ୍ୟଗୁଡ଼ିକ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ଆଇନରେ ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ରାଜ୍ୟମାନଙ୍କୁ ୯.୧୪ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି, ଯାହା ପ୍ରଥମେ କରାଯାଇଥିବା ଆକଳନଠାରୁ ୬୩,୨୬୫ କୋଟି ଟଙ୍କା ଅଧିକ।