କନକ ବ୍ୟୁରୋ: ଜିଏସଟି ସ୍ଲାବରେ ପରିବର୍ତ୍ତନ ହେବା ଫଳରେ କେନ୍ଦ୍ର ସରକାରଙ୍କୁ ୪୮ ହଜାର କୋଟି ଟଙ୍କାର କ୍ଷତି । ତେବେ ଏହି ପରିବର୍ତ୍ତନ ଭାରତର ମଧ୍ୟବିତ୍ତ ବର୍ଗଙ୍କ ପାଇଁ କିନ୍ତୁ ଲାଭ ଦାୟକ ହେବ ବୋଲି କୁହାଯାଉଛି । ଜିଏସଟି ନୀତିରେ ସୁଧାର ଆସିବା ଫଳରେ ଲୋକମାନେ ବହୁତ ଜିନିଷ ଶସ୍ତାରେ ପାଇପାରିବେ । ଯାହାକି ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । 

Advertisment

ଜିଏସଟି ୨.୦ରେ ଲୋକଙ୍କ ପାଇଁ ସହଜ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଜିଏସଟି ସ୍ଲାବରେ ୫ ପ୍ରତିଶତ ସହିତ ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ଟ୍ୟାକ୍ସର ବ୍ୟବସ୍ଥା ରହିଥିଲା । ହେଲେ ଏବେ ଏହାକୁ କେବଳ ଦୁଇଟିରେ ସୀମିତ ରଖାଯାଇଛି । ଗୋଟିଏ ହେଲା ୫ ପ୍ରତିଶତ, ଅନ୍ୟଟି ହେଲା ୧୮ ପ୍ରତିଶତ । ତେବେ ବିଳାସପୂର୍ଣ୍ଣ ପ୍ରସାଧାନ ସାମଗ୍ରୀ ଉପରେ ସରକାର ୪୦ ପ୍ରତିଶତ ଜିଏସଟି ଲଗାଇବାକୁ ଘୋଷଣା କରିଛନ୍ତି । 

କୁହାଯାଉଛି ଜିଏସଟି ନୀତିରେ ପରିବର୍ତ୍ତନର ପ୍ରଭାବ ଉପଭୋକ୍ତାଙ୍କ ପାଖରେ ଦେଖିବାକୁ ମିଳିବ । ଏହାର ପ୍ରଭାବ ମଧ୍ୟ ସାଧାରଣ ଲୋକମାନେ ଅନୁଭବ କରିପାରିବେ । ବିଶେଷଜ୍ଞଙ୍କ ଅନୁମାନ ମୁତାବକ, ଏହା ଲୋକଙ୍କ ବିଲକୁ ୧୦ ପ୍ରତିଶତ କମାଇଦେବ । ଲୋକଙ୍କ ବୀମା ମଧ୍ୟ ଶସ୍ତା ହେବ । ଏହାସହ କେନ୍ଦ୍ର ସରକାର କିନ୍ତୁ ଟ୍ୟାକ୍ସ ବାବଦରେ ୪୮  ହଜାର କୋଟି ହରାଇବେ ବୋଲି ଜଣାପଡ଼ିଛି ।

ବିଶେଷଜ୍ଞଙ୍କ କହିବା ମୁତାବକ, ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଯଦି ଆପଣ କୌଣସି ବୀମାର ପ୍ରିମିୟମ ଦେଉଛନ୍ତି, ତେବେ ଆପଣ ଆଶ୍ୱସ୍ତ ହୋଇଯାଆନ୍ତୁ । ଏହାସହ ଟ୍ୟାକ୍ସ ବ୍ୟବସ୍ଥାରେ ମଧ୍ୟ ଲୋକମାନେ ଆଉ ଅଧିକ ଟଙ୍କା ଦେବେନି ।