କନକ ବ୍ୟୁରୋ: ଆଜି ବସୁଛି ଜିଏସ୍ଟି କାଉନ୍ସିଲ୍ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ସ୍ବିଗି ଓ ଜମାଟୋ ଭଳି ଫୁଡ୍ ଡେଲିଭରୀ ପ୍ଲାଟ୍ଫର୍ମ ଗୁଡ଼ିକ ପାଇଁ ଜିଏସ୍ଟି ହାର କମାଯାଇପାରେ । ଏହା ହେଲେ ଅନ୍ଲାଇନ୍ ଖାଦ୍ୟ ଅର୍ଡର ଶସ୍ତା ହୋଇପାରେ ।
ସେହିପରି ଇଲେକ୍ଟ୍ରୋନିକ୍ ଯାନ ଉପରେ ଜିଏସ୍ଟି ହାର ବଢାଯାଇପାରେ । ବୈଠକରେ ଜୀବନ ଏବଂ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍ ଉପରେ ଟିକସ ହ୍ରାସ ନେଇ ଆଲୋଚନା ହୋଇପାରେ । ଲକ୍ଜ୍ୟୁରୀ ହାତଘଣ୍ଟା, ଫୁଟ୍ୱେର, ପୋଷାକ ଉପରେ ଟିକସ ବୃଦ୍ଧି ନେଇ ବିଚାର କରାଯିବା ସମ୍ଭାବନା ରହିଛି ।
ଫୁଡ ଡେଲିଭରୀ ପ୍ଲାଟ୍ଫର୍ମ ପାଇଁ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇପାରେ ସେହିପରି ତମାଖୁ ଜାତୀୟ ଦ୍ରବ୍ୟ ଉପରେ ୩୫ ପ୍ରତିଶତର ଏକ ପୃଥକ ଜିଏସ୍ଟି ସ୍ଲାବ ଉପସ୍ଥାପନ ହୋଇପାରେ। ପ୍ରାୟ ୧୪୮ଟି ସାମଗ୍ରୀ ଗୁଡ଼ିକର ଜିଏସ୍ଟି ହାରରେ ପରିବର୍ତ୍ତନ କରାଯାଇପାରେ । ଆଭିଏସନ୍ ଟରବାଇନ୍ ଫୁଏଲକୁ ବି ଜିଏସ୍ଟି ପରିସରକୁ ଅଣାଯାଇପାରେ । ଏଥିସହିତ ଇଲେକ୍ଟ୍ରୋନିକ୍ ଯାନ ଉପରେ ଜିଏସ୍ଟି ହାର ୧୨ରୁ ୧୮ ପ୍ରତିଶତକୁ ପଡିପାରେ । ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍କୁ ଟିକସ ଛାଡ ପାଇଁ ପ୍ରସ୍ତାବ ରଖାଯାଇଛି । ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଉପରେ ପ୍ରିମିୟମ୍କୁ ଜିଏସ୍ଟି ମୁକ୍ତ କରାଯାଇପାରେ ।