କନକ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀରୁ ଆସିଲା ଖୁସିର ଖବର। ଭାରତ ସହ ବ୍ୟବସାୟୀକ ସମ୍ପର୍କ ଯୋଡିବା ପାଇଁ ଆଗକୁ ଆସିଛି ଆସିଆନ । ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଭିଏତନାମ, ଫିଲିପାଇନ୍ସ, ମିଆଁମାର, କମ୍ବୋଡିଆ, ବ୍ରୁନେଇ ଓ ଲାଓଜ ସହ ବଢିବ ଭାରତର ଆମଦାନୀ ଓ ରପ୍ତାନୀର ସମ୍ପର୍କ।
- ଆମଦାନୀ ଓ ରପ୍ତାନୀର ବଢିବ ସମ୍ପର୍କ
- ୧୦ଟି ଦେଶ ସହ ଭାରତର ହେବ ବ୍ୟବସାୟ
ସାଧାରଣତଃ କମ୍ପ୍ୟୁଟର ଓ ମୋବାଇଲର ଯନ୍ତ୍ରପାତି ପାଇଁ ଭାରତ ଚୀନ ଉପରେ ନିର୍ଭର କରୁଥିବାବେଳେ ଏବେ ଏହି ସମସ୍ୟା ଦୂର କରିବ ମାଲେସିଆ । ମାଲେସିଆରୁ କମ ଖର୍ଚ୍ଚରେ ଭାରତକୁ ଆସିପାରିବ ଅନେକ ଯନ୍ତ୍ରପାତି । ଆସିଆନର ୧୦ଟି ଦେଶରେ ଔଷଧର ଦାମ ଭାରତ ତୁଳନାରେ ଅଧିକ ଥିବାରୁ ଭାରତରୁ ଔଷଧ ଆମଦାନୀ କରିବାକୁ ଯୋଜନା କରିଛି ଆସିଆନ । ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳ ସବୁବେଳେ ବିଦେଶୀଙ୍କୁ ଆକୃଷ୍ଟ କରିଆସିଛି । ଆଗାମୀ ଦିନରେ ଆସିଆନର ୧୦ଟି ଦେଶରୁ ଭାରତକୁ ସିଧାସଳଖ ବିମାନ ଚଳାଚଳ ହେଲେ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ଆସିଆନ ପ୍ରତିନିଧି ଦଳ ।
ଭୁବନେଶ୍ୱରରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ବ୍ୟବସାୟିକ ସମ୍ପର୍କ ସ୍ଥାପନା ପାଇଁ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉପସ୍ଥିତିରେ ଇଣ୍ଡିଆନ ଚେମ୍ବର ଅଫ କମର୍ସ ଓ ଆସିଆନ ଇଣ୍ଡିଆ ଇକୋନୋମିକ କାଉନସିଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଭାରତ ସହିତ ଏହି ୧୦ଟି ଦେଶ କିଭଳି ଅତି ସହଜରେ ବ୍ୟବସାୟ କରିପାରିବେ ସେନେଇ ଆସିଆନ ଇଣ୍ଡିଆ ଇକୋନୋମିକ କାଉନସିଲକୁ ପ୍ରତିଶୃତି ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେବାକୁ ଚୁକ୍ତିନାମାରେ ଗୁରୁତ୍ୱ ଦିଆଯାଇଛି ।
ଖୁବଶୀଘ୍ର ଭାରତରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟ ଶିଳ୍ପାନୁଷ୍ଠାନ । ଏଥିଯୋଗୁଁ ବଢିବ ରୋଜଗାର । ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟର ଲୋକ ଏହି ୧୦ଟି ଦେଶରେ ରୋଜଗାର ପାଇବାର ସଯୋଗ ସୃଷ୍ଟି ହେଲା ବୋଲି କହିଛନ୍ତି ବିଶେଷଜ୍ଞ ।