କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଋତୁ ଅନୁସାରେ ଭିନ୍ନଭିନ୍ନ ଚାଷ ହୋଇଥାଏ । ଆଦିବାସୀମାନେ ବିଭିନ୍ନ ପନିପରିବା ଓ ଅର୍ଥକରୀ ଫସଲ ଚାଷ କରନ୍ତି । ଲଙ୍କା ଏକ ଅର୍ଥକରୀ ଫସଲ ହୋଇଥିବା ବେଳେ ଏହି ଚାଷ କରି ଜଣେ ଆଦିବାସୀ ମହିଳା ସଫଳ ହୋଇଛନ୍ତି । ମାତ୍ର ଅଧ ଏକର ଜମିରେ ଲଙ୍କାଚାଷ କରି ହୋଇପାରିଛନ୍ତି ଲକ୍ଷପତି । ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ବାରମାସୀ ଗାଁର ଆଦିବାସୀ ମହିଳା ତୁଳାବତୀ ମାଝୀ । ପୂର୍ବରୁ ପରିବା ଚାଷ କରୁଥିଲେ । କିନ୍ତୁ ବଜାର ଅଭାବରୁ ବିକ୍ରିରେ ସମସ୍ୟା ହେଉଥିଲା । ନୂଆଚାଷ କରିବା ଆଶାରେ ପ୍ରଥମେ ଅଳ୍ପ ଜମିରେ ଲଙ୍କାଚାଷ ଆରମ୍ଭ କରିଥିଲେ । ସମୟକ୍ରମେ ଚାଷ ପରିମାଣ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର ସହଯୋଗରେ ତୁଳାବତୀ ଲଙ୍କାଚାଷ କରୁଛନ୍ତି । ଲଙ୍କା ବିକ୍ରି କରି ବାର୍ଷିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ଗତବର୍ଷ ୩୨ କ୍ବିଣ୍ଟାଲ୍ ଲଙ୍କା ବିକ୍ରି କରିଥିଲେ ଏବଂ କିଲୋ ପିଛା ୩୦ଟଙ୍କା ହିସାବରେ ୯୬ ହଜାର ଟଙ୍କା ଆୟ ହୋଇଥିଲା ବୋଲି ତୁଳାବତୀ କହିଛନ୍ତି ।
ଚଳିତବର୍ଷ ତୁଳାବତୀ ୧୬ କ୍ବିଣ୍ଟାଲ ଲଙ୍କା ବିକ୍ରି କରିସାରିଲଣି । ଆଗକୁ ମଧ୍ୟ ଲଙ୍କା ବିକ୍ରି କରି ୧ଲକ୍ଷ ଆୟ କରିବେ ବୋଲି ଆଶା କରିଛନ୍ତି । ଏହି ଆୟକୁ ଝିଅର ଉଚ୍ଚଶିକ୍ଷା ପାଇଁ ଖର୍ଚ୍ଚ କରିବା ସହ ପରିବାର ଖର୍ଚ୍ଚ ମଧ୍ୟ ସମ୍ଭାଳୁଛନ୍ତି । ଗତବର୍ଷ ରବି ଋତୁରେ ଆଇଟିଡିଏ ଜୀବିକା ମିଶନ ପକ୍ଷରୁ ତାଙ୍କୁ ହାଇବ୍ରିଡ୍ ଲଙ୍କା ବିହନ, ଜୈବିକ ସାର, କୀଟନାଶକ ଓ ଅନ୍ୟାନ୍ୟ ସହାୟତା ଦିଆଯାଇଥିଲା । ତୁଳାବତୀ କିଛି କର୍ମଚାରୀ ନିୟୋଜିତ କରିଛନ୍ତି । ପୂର୍ବରୁ ଏମାନଙ୍କୁ ଦାଦନ ଖଟିବା ପାଇଁ ବାହାରକୁ ଯିବାକୁ ପଡୁଥିଲା। ବର୍ତ୍ତମାନ ବର୍ଷ ତମାମ୍ ଗାଁରେ ହିଁ ଲଙ୍କାଚାଷ କରୁଛନ୍ତି ।
ତୁଳାବତୀ ନିଜ ଉଦ୍ୟମରେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଯାହା ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ।