କନକ ବ୍ୟୁରୋ: ପୁରୀରେ ବିଷାକ୍ତ ହେଉଛି ଭୂତଳ ଜଳ । ଭୂତଳ ଜଳରେ ଇଲେକ୍ଟ୍ରିକାଲ କଣ୍ଡକ୍ଟିଭ, ଟିଡିଏସ ମାତ୍ରାଧିକ ବୃଦ୍ଧି ପାଇଛି । ଏଥିରେ ଅତ୍ୟଧିକ ଖଣିଜ ଲବଣ ଓ ଧାତୁର ମାତ୍ରା ଅଧିକ ରହୁଥିବାରୁ ଭୂତଳ ଜଳ ଧୀରେଧୀରେ ଅନୁପଯୋଗୀ ପାଲଟିଗଲାଣି ।
କେନ୍ଦ୍ର ଭୂତଳ ଜଳ ଦକ୍ଷିଣ ପୂର୍ବାଞ୍ଚଳର ୨୦୨୪ର ମୌସୁମୀ ପୂର୍ବର ‘ୱାଟର କ୍ବାଲିଟି ବୁଲେଟିନ’ରୁ ଭୂତଳ ଜଳର ଗୁଣବତ୍ତା ହ୍ରାସ ନେଇ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ପାଣିରେ ନାଇଟ୍ରେଟ୍, ଅମ୍ଳ ତଥା ପୋଟେନ୍ସିଆଲ ଅଫ୍ ହାଇଡ୍ରୋଜେନ (ପିଏଚ୍), ଲୌହାଂଶ ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ପୁରୀର ୩୬ଟି ସ୍ଥାନରୁ ସଂଗ୍ରହ ହୋଇଥିବା ଭୂତଳ ଜଳର ନମୁନାରୁ ୮ଟି ସ୍ଥାନରେ ବିଷାକ୍ତ ଇଲେକ୍ଟ୍ରିକାଲ କଣ୍ଡକ୍ଟିଭ୍ ମାତ୍ରା ସର୍ବାଧିକ ରହିଥିବା ଜଣାପଡ଼ିଛି । ଅସ୍ତରଙ୍ଗରେ ୧ ଲିଟର ଜଳରେ ଟିଡିଏସ୍ (ଟୋଟାଲ ଡିଜଲଭଡ ସଲିଡ୍ସ)ର ମାତ୍ରା ୨୭୫୫ ମିଲିଗ୍ରାମ୍ ଏବଂ ସଦରସ୍ଥିତ କୃପାସିନ୍ଧୁ ପାଟଣାରେ ୨୭୪୯ ମିଗ୍ରା ରହିଛି । ମାତ୍ର ଦୁଇଟି ଅଞ୍ଚଳରେ ଏହା ୨୭୦୦ ଅତିକ୍ରମ କରିଛି । ଟିଡିଏସ୍ ମାତ୍ରା ୧ ଲିଟରରେ ୧୨୦୦ ମିଲିଗ୍ରାମ୍ ରହିଲେ ପାନୀୟ ପାଇଁ ଜଳ ଅନୁପଯୋଗୀ ବୋଲି କୁହାଯାଉଛି ।
ପୁରୀ ଜିଲ୍ଲା କ୍ଲୋରାଇଡର ପରିମାଣ ମଧ୍ୟ ଗ୍ରହଣୀୟତାଠାରୁ ଯଥେଷ୍ଟ ଅଧିକ ରହିଛି । ୧ ଲିଟର ଜଳରେ ୨୫୦ ମିଗ୍ରା କ୍ଲୋରାଇଡ୍ ଗ୍ରହଣୀୟ ହୋଇଥିଲେ ହେଁ କୃପାସିନ୍ଧୁ ପାଟଣା ଓ ସାକ୍ଷୀଗୋପାଳରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ଆଳିପଡ଼ାରେ ନାଇଟ୍ରେଟ୍ ପରିମାଣ ୧ ଲିଟରରେ ୧୪୯.୬ ମିଗ୍ରା, ଜଗନ୍ନାଥ ବଲ୍ଲଭ ମଠରେ ୮୩.୩ ମିଗ୍ରା, ସାତପଡ଼ାରେ ୯୧ ମିଗ୍ରା, ଗୋଖରାରେ ୪୫.୭ ମିଗ୍ରା, ଗୋବର୍ଦ୍ଧନ ମଠରେ ୬୦.୨ ମିଗ୍ରା ରହିଛି । ବାସ୍ତବ କଥା ହେଉଛି, ପାଣିରେ ନାଇଟ୍ରେଟ ଅଛି କି ନାହିଁ ତାହା ଜଣେ ପାଣି ପିଇଲେ ଜାଣିପାରେ ନାହିଁ । ତେଣୁ ଅତ୍ୟଧିକ ନାଇଟ୍ରେଟର ପରିମାଣ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଭୂତଳ ଜଳର ମ୍ୟାପିଂ ସହ ଏହାର ସୁପରିଚାଳନା ପାଇଁ, ଜିଲ୍ଲା ଭୂତଳ ଜଳ ସମନ୍ବୟ କମିଟି ଗଠନ କରାଯିବାକୁ ୨୦୨୨ରେ ନିଷ୍ପତ୍ତି ହୋଇଥିଲା । ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/12/34-2025-10-12-20-27-08.jpg)